THE BYAPINI

ଖଲିସ୍ତାନୀ ଆତଙ୍କବାଦୀ ସୁଖଦୁଲ ସିଂହ ନିହତ, କାନାଡା ନାଗରିକଙ୍କୁ ଭିସା ବାତିଲ କଲା ଭାରତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ସୁଖଦୁଲ ସିଂହ ଓରଫ ସୁଖ ଦୁନେକେ କାନାଡାରେ ଦୁଇ ଆତଙ୍କବାଦୀ ଗୋଷ୍ଠୀସଂଘର୍ଷରେ ନିହତ ହୋଇଥିବା ଜଣାପଡିଛି । ଦୁନେକେ କାନାଡାରେ ଚାଲିଥିବା ଭାରତ-ବିରୋଧୀ ଖଲିସ୍ତାନୀ ଆନ୍ଦୋଳନର ଅଂଶ । ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ତା’ର ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ସେ ଗ୍ୟାଙ୍ଗଷ୍ଟର ତଥା ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ଦଲେରର ଜଣେ ଘନିଷ୍ଠ ସହଯୋଗୀ ଥିଲା ଏବଂ ଖଲିସ୍ତାନ ଓ କାନାଡା ସହ ସମ୍ପୃକ୍ତ ଘଟଣାରେ ଆତଙ୍କବାଦ-ନିରୋଧୀ ଏଜେନ୍ସି ଏନ୍‌ଆଇଏ ଗତକାଲି ଜାରି କରିଥିବା ୪୩ ଜଣ ଗ୍ୟାଙ୍ଗଷ୍ଟରଙ୍କ ତାଲିକାରେ ତା’ର ନାମ ଥିଲା । ଗତ ଜୁନ ମାସରେ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଚାଲିଥିବା ବେଳେ ସୁଖଦୁଲର ହତ୍ୟା ଘଟଣା ଘଟିଛି । ନିଜାର ହତ୍ୟା ଘଟଣାରେ ଭାରତୀୟ ଏଜେନ୍ସିର ସମ୍ପୃକ୍ତି ଅଛି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ ଭାରତ ଓ କାନାଡା କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିଛି । ଟ୍ରୁଡୋଙ୍କ ଅଭିଯୋଗ ପରେ କାନାଡା ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତ ମଧ୍ୟ କାନାଡାର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି । ଏଭଳି ଉତ୍ତେଜନା ଭିତରେ କାନାଡା ଯାତ୍ରା କରୁଥିବା ଭାରତୀୟମାନଙ୍କୁ କଡା ସତର୍କତା ଅବଲମ୍ବନ କରିବା ପାଇଁ ଭାରତ ପକ୍ଷରୁ ଉପଦେଶାବଳୀ ଜାରି କରାଯାଇଛି । ସେହିଭଳି କାନାଡା ନାଗରିକ ଆଜିଠାରୁ ଆଉ ଭାରତ ଆସିପାରିବେ ନାହିଁ । କାନାଡ଼ାରେ ଭାରତୀୟ ଭିସା ସେବା ବାତିଲ କରାଯାଇଛି । ଭାରତ ଆସିବା ପାଇଁ ଉପଲବ୍ଧ ହେଉଥିବା ଭିସା ବ୍ୟବସ୍ଥାକୁ ଗୁରୁବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସରକାର ବାତିଲ କରି ଦେଇଛନ୍ତି । କାନାଡା ନାଗରିକଙ୍କ ଭିସା ଆବେଦନଗୁଡ଼ିକର ପ୍ରାରମ୍ଭିକ ଯାଞ୍ଚ ପାଇଁ ନିୟୋଜିତ ଘରୋଇ ସଂସ୍ଥା ବିଏଲଏସ୍‌ ଇଣ୍ଟରନେସନାଲ ପକ୍ଷରୁ କୁହାଯାଇଛି ଯେ, ପରିଚାଳନାଗତ କାରଣ ପାଇଁ ସେପ୍‌ଟେମ୍ବର ୨୧, ୨୦୨୩ରୁ ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପର୍ଯ୍ୟନ୍ତ ଭାରତୀୟ ଭିସା ସେବା ବାତିଲ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.