ଇମ୍ଫାଲ : ମଣିପୁରରେ ଜାତିଗତ ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ । ଗତକାଲି ପୁଲିସ ୫ ଜଣ ଯୁବକଙ୍କୁ ଗିରଫ କରିବା ଘଟଣାକୁ ନେଇ ଉତ୍ତ୍ୟକ୍ତ ଜନତା ହିଂସାତ୍ମକ ବକ୍ଷୋଭ ପ୍ରଦର୍ଶନ କରିଥିଲେ । ଯୁବକମାନଙ୍କୁ ନିଃସର୍ତ୍ତ ମୁକ୍ତ କରିବା ଦାବିରେ ଉତ୍ତ୍ୟକ୍ତ ଜନତା ଇମ୍ଫାଲ ପୂର୍ବର ପୋରୋମପାଟ ପୋଲିସ ଷ୍ଟେସନ ଏବଂ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସିଂଜାମେଇ ପୋଲିସ ଷ୍ଟେସନ ଏବଂ କ୍ୱାକିଥେଲ ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସେପ୍ଟେମ୍ବର ୧୬ରେ ୫ ଜଣ ବାଳକଙ୍କୁ ଗିରଫ କରାଯିବା ପରଠାରୁ ଇମ୍ଫାଲରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୁରକ୍ଷା ବାହିନୀ ଜନତାଙ୍କ ଉପରକୁ ଲୁହବୁହା ଗ୍ୟାସ୍ ସେଲ୍ ମାଡ଼ କରିଥିଲେ, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ପୁଲିସ ସହ ସଂଘର୍ଷ ଘଟଣା ପରେ ରାଜ୍ୟ ସରକାର ଇମ୍ଫାଲର ଦୁଇ ଜିଲ୍ଲାରେ ପୂର୍ବରୁ କୋହଳ କରାଯାଇଥିବା କର୍ଫ୍ୟୁକୁ ପ୍ରତ୍ୟାହାର କରିଛନ୍ତି । ଇମ୍ଫାଲ ପଶ୍ଚିମର ଜିଲ୍ଲାପାଳ ମଧ୍ୟ ଏ ନେଇ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେପ୍ଟେମ୍ବର ୨୧ ତାରିଖ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କୋହଳ ହୋଇଥିବା କର୍ଫ୍ୟୁକୁ ଅପରାହ୍ନ ୫ଟାରୁ ପ୍ରତ୍ୟାହାର କରାଯାଇଛି । ଏଭଳି ସ୍ଥିତିରେ ପୂର୍ବରୁ ଜାରି ହୋଇଥିବା ସମସ୍ତ କଟକଣା ବଳବତ୍ତର ରହିବ । ପୂର୍ବ ଇମ୍ଫାଲରେ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି ।