THE BYAPINI

ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବ ବିଜେପି

Get real time updates directly on you device, subscribe now.

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହୋଇଛି। ବିଜେପି ଓ କଂଗ୍ରେସଙ୍କ ପାଖରେ ସରକାରଙ୍କ ବିରୋଧରେ ଗଦା ଗଦା ପ୍ରସଙ୍ଗ ଥିଲା ବେଳେ ବିରୋଧୀଙ୍କ ମୁକାବିଲା ପାଇଁ ଶାସକ ଦଳ ବି ପ୍ରସ୍ତୁତ ଅଛି।  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ସବୁ ବିଧାୟକ ଉପସ୍ଥିତ ଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଲେ, ବିଜେଡି ସରକାରରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି।  ଓଡ଼ିଶାରେ ସରକାରୀ ଅର୍ଥରେ ସଚିବଙ୍କୁ ଜିଲ୍ଲା ଗସ୍ତ କରାଇ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଏହି ପ୍ରସଙ୍ଗକୁ ବିଜେପି ଗୃହରେ ଉଠାଇ ସରକାରଙ୍କ ଠାରୁ ଜବାବ ମାଗିବ। ସରକାର ଯଦି ଏହା ଉପରେ ଆଲୋଚନା ନକରିବେ ତେବେ ଆମେ ବିଧାନସଭା ବନ୍ଦ କରିବୁ। ଗୃହ ଭିତରେ ଓ ବାହାରେ ରାଜ୍ୟ ସରକାରଙ୍କୁ ଘେରିବୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଧ୍ବଂସ କରିସାରିଲେଣି ବିଜେଡି ସରକାର। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅଣାୟତ। ଶିକ୍ଷା, ବେରୋଜଗାରୀ, କୃଷି, ଜଳସେଚନ, ଦାଦନ ଓ ସ୍ବାସ୍ଥ୍ୟ ସମେତ ସବୁ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି। ଦାରିଦ୍ର୍ୟ କ୍ଷେତ୍ରରେ ଓଡ଼ିଶା ତିନି ନମ୍ବରରେ ରହିଛି। ଏସବୁ ପ୍ରସଙ୍ଗ ସହ ନବ ଦାସ ହତ୍ୟାକାଣ୍ଡ, ଭୁବନେଶ୍ବର ଉପକଣ୍ଠରେ ଜମି ଦୁର୍ନୀତି ଆଦି ପ୍ରସଙ୍ଗ ମଧ୍ୟ ଗୃହରେ ଉଠାଯିବ ବୋଲି ଶ୍ରୀ ମାଝୀ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.