THE BYAPINI

ଆଜି ଅପରାହ୍ଣ ୫ଟାରେ ସିଏମଓରେ ଶିକ୍ଷକ ସଂଘ ବୈଠକ

Get real time updates directly on you device, subscribe now.

ଭୁବନେଶ୍ୱର: ଆଜି ଅପରାହ୍ଣ ୫ଟାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ( ପିଷ୍ଟା)କୁ ବୈଠକ ପାଇଁ ସିଏମଓ ଅଫିସରୁ ସ୍ୱତନ୍ତ୍ର ଡାକରା ଆସିଛି। ଏନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ବ୍ରହ୍ମାନନ୍ଦ ମହାରଣା ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହିତ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ। ଏହି ଆଲୋଚନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ଆସନ୍ତା ୨୬ ତାରିଖରେ ଭୁବନେଶ୍ବରରେ ଶିକ୍ଷକମାନଙ୍କର ମହାସମାବେଶ ଡାକରା ଦିଆଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ଲୋୟର ପିଏମ୍‌ଜିରେ ହେବାକୁ ଥିବା ଏହି ସମାବେଶରେ ଲକ୍ଷାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବେ। ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଯାହା କ୍ଷତି ହେବ ସେଥିପାଇଁ ଗଣଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ସତର୍କ କରାଇ ଦେଇଛନ୍ତି।
ଗ୍ରେଡ୍ ପେ ବୃ୍ଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ, ୨୦୧୭ରୁ ପୁରୁଣା ପେନସନ୍ ଲାଗୁ ସହ ୨୦୨୦ ମାର୍ଚ୍ଚ ପହିଲାରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକଙ୍କୁ ନିୟମିତ କରିବା ଭଳି ଦାବି ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି। ସାରା ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସ୍କୁଲରେ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଛି। ଅନେକ ସ୍କୁଲରେ ଏବେ ବି ତାଲା ଝୁଲୁଛି। ଆଉ ଯେଉଁ ସ୍କୁଲ ଖୋଲା ରହିଛି ସେଠାରେ ପାଠପଢ଼ା ହେଉ ନାହିଁ। ପିଲାମାନେ ସ୍କୁଲ ଯାଉଛନ୍ତି, ହେଲେ ସେମାନେ କେବଳ ମଧ୍ୟାହ୍ନଭୋଜନ ଖାଇ ଘରକୁ ଫେରୁଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଭିଭାବକ ସାମିଲ ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ଡାକି ଦାବି ପୂରଣ ଲାଗି ରାଜ୍ୟ ସରକାର ସମୟ ମାଗିଥିଲେ। ଆନ୍ଦୋଳନରେ ସାମିଲ ହୋଇଥିବା ୧୦ଟି ଶିକ୍ଷକ ସଙ୍ଗଠନ ମଧ୍ୟରୁ ଦୁଇଟି ଓହରିଯାଇଥିବା ବେଳେ ୮ଟି ପ୍ରାଥମିକ ଶିକ୍ଷକ ସଂଘ ନେତୃତ୍ବରେ ଲକ୍ଷାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରେ ରହିଛନ୍ତି।

୨୬ ତାରିଖରେ ହେବାକୁ ଥିବା ଶିକ୍ଷକ ମହାସମାବେଶରେ ୮ଟି ପ୍ରାଥମିକ ଶିକ୍ଷକ ସଙ୍ଗଠନ ସାମିଲ ହେବା ନେଇ ଘୋଷଣା ପରେ ରାଜ୍ୟ ସରକାର ଆଜି ପୁଣିଥରେ ତତ୍ପରତା ଦେଖାଇଛନ୍ତି। ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ବେଳେ ମାସେ ମହଲତ ଦେବାକୁ ସଦସ୍ୟମାନେ କହିଥିଲେ। ମାତ୍ର ଶିକ୍ଷକ ସଙ୍ଗଠନଗୁଡ଼ିକ ମହାସମାବେଶ କରିବାକୁ ଡାକରା ଦେବା ପରେ ତରବରିଆ ଭାବେ ୨୩ ତାରିଖରେ ଦାବିଗୁଡ଼ିକ ନେଇ ଶିକ୍ଷକମାନଙ୍କ ସହ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଆଲୋଚନା ଅନୁଷ୍ଠିତ ହେବ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଚାରୁଲତା ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.