ଡିଟେକ୍ଟିଭ ଜର୍ଣ୍ଣାଲିଷ୍ଟ!
ଏହାରି ଭିତରେ ରାଜ୍ୟରେ ନୂଆ ତଦନ୍ତକାରୀ ସଂସ୍ଥା ମୁଣ୍ଡ ଟେକିଛି । କେତୋଟି ହାତଗଣତି ଗଣମାଧ୍ୟମ ସବୁକିଛିକୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଯେମିତି ପ୍ରତିଜ୍ଞା କରିଛନ୍ତି । ପରୀ ମାମଲାରେ ତଦନ୍ତକାରୀ ସଂସ୍ଥା କହୁଥିବା ତଥ୍ୟକୁ ତନ୍ନ ତନ୍ନ କରି ବିଶ୍ଳେଷଣ କରୁଛନ୍ତି । ଭଲ କଥା, ଏଥିରେ କିଛି ଅସୁବିଧା ନାହିଁ । ଚତୁର୍ଥସ୍ତମ୍ଭ ହିସାବରେ ସେମାନେ ନିଜର ଦାୟିତ୍ୱକୁ ସଠିକ ରୁପେ ସମ୍ପାଦନ କରିବା ଉଚିତ । ହେଲେ ଜଘନ୍ୟ ମାନସିକତାର ସହ ଅତି ବିଭତ୍ସକାଣ୍ଡ ଭିଆଇଥିବା ଗୋଟିଏ ଯୁବକକୁ ବଂଚାଇବାକୁ ଯାଇ ସବୁକିଛିକୁ ମୋଡିମୋକଚି ଦେଇଥିବା ଗଣମାଧ୍ୟମ ନିଜର କାର୍ଯ୍ୟର ଆତ୍ମସମୀକ୍ଷା କରିବା ଉଚିତ ।
ଦୁଇଟି ଦୃଷ୍ଟାନ୍ତ ଉପରେ ନଜର ପକାନ୍ତୁ । ଆଜିର ଦିନରେ ଯିଏ ମୁଖ୍ୟ ଅଭିଯୁକ୍ତ, ତାକୁ ବଂଚାଇବାକୁ ଯାଇ ଯେଉଁ ନ୍ୟାରେଟିଭ ସବୁ କିଛି ଗଣମାଧ୍ୟମ ପକ୍ଷରୁ ଦିଆଯାଉଛି, ତାହା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି । ଗୋଟିଏ ଗଣମାଧ୍ୟମ ତାକୁ ସକାଳୁ ସଂଜ ଯାଏଁ ଲାଇଭରେ ବସାଇଲା, ତାର ବାଇଟ ଆଣି ୨୪ ଘଂଟା ଚଲାଇଲା । ଅନ୍ୟ ଗୋଟିଏ ଦୃଷ୍ଟାନ୍ତ ହେଲା ଦିନରାତି ଏକ କରି ଦୋଷୀର ମୁଖା ଖୋଲିଥିବା ତଦନ୍ତକାରୀ ସଂସ୍ଥା ଉପରେ ସନ୍ଦେହ କରିବା ଏବଂ ସେମାନଙ୍କର ଆଭିମୁଖ୍ୟକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରି ସେମାନଙ୍କର ମନୋବଳ ଦୁର୍ବଳ କରିବା ।
ଗୋଟିଏ ଗଣମାଧ୍ୟମ ସଂସ୍ଥା ଭାବରେ ନିଜକୁ ନିଜେ ପ୍ରଶ୍ନ କରିବାର ଆବଶ୍ୟକତା ମଧ୍ୟ ରହିଛି । ଯଦି କୋର୍ଟରେ ଗିରଫ ହୋଇଥିବା ଯୁବକ ହତ୍ୟାକାରୀ ବୋଲି ପ୍ରମାଣିତ ହୋଇଯାଏ ତେବେ କଣ ଅପରାଧୀକୁ ବଂଚାଇବାକୁ ଉଦ୍ୟମ କରିଥିବା ଗଣମାଧ୍ୟମ ସଂସ୍ଥା ଗୁଡିକ କଣ କ୍ଷମା ପ୍ରାର୍ଥନା କରିବେ? ନିଜର ଭୁଲ ପାଇଁ କଣ ଅନୁତାପ କରିବେ? ଏହାର ସମ୍ଭାବନା କମ୍ । କାରଣ ରାଜ୍ୟରେ ଗଣମାଧ୍ୟମ ଗୁଡିକ ସ୍ପଷ୍ଟ ଆଭିମୁଖ୍ୟ ରଖିବା ପରିବର୍ତ୍ତେ ରାଜନୈତିକ ଦଳର ହାତବାରିସି ସାଜିଛନ୍ତି । ତେଣୁ ଯାହାକୁ ଯେମିତି ସୁହାଉଛି ଠିକ ସେହିଭଳି ସେମାନେ କାର୍ଯ୍ୟ କରୁଛନ୍ତି ।
ଗଣମାଧ୍ୟମର କାମ ହେଉଛି, ସତ ଦେଖାଇବା । ଯଦି ସରକାର କୈାଣସି ଜାଗାରେ ଭୁଲ କରୁଛନ୍ତ, ତାକୁ ରିପୋର୍ଟ କରିବା ଏବଂ ସାଧାରଣ ଲୋକର ସ୍ୱର ପାଲଟିବା । ହେଲେ ନୂଆ ନୂଆ ମୁଣ୍ଡ ଟେକୁଥିବା ଗଣମାଧ୍ୟମ ଆଉ ଏଥିରେ ମୁହଁ ଦେଖାଉଥିବା କିଛି ବ୍ୟକ୍ତି ରାତା ରାତି ଜାତୀୟ ଗାଣମାଧ୍ୟମର ଟ୍ରେଣ୍ଡ ସହ ଖାପଖୁଆଇ ଆଗକୁ ବଢିବାକୁ ଚାହୁଁଛନ୍ତି । ହେଲେ ଏହାଦ୍ୱାରା ସେମାନେ ସମାଜର କେତେ କ୍ଷତି କରୁଛନ୍ତି, ତାର ଆକଳନ ମଧ୍ୟ କରିପାରୁନାହାନ୍ତି । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏବଂ ନିଜର ମାଲିକର ପୁରୁଣା ପ୍ରତିଶୋଧକୁ କାର୍ଯ୍ୟକାରୀ କରିବାକୁ ଯେବେ ଆଗଭର ହୁଅନ୍ତି, ସେତେବେଳେ ପୁରା ବ୍ୟବସ୍ଥା ବିପଦ ଘେରକୁ ଆସିଯାଏ ।
ଏଭଳି ଗଣମାଧ୍ୟମକୁ ଆମର କିଛି ପ୍ରଶ୍ନ ରହିବ । ଖାଲି ପରୀ ମାମଲାରେ ହିଁ ଏମାନେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ନା ରାଜ୍ୟରେ ଘଟୁଥିବା ସବୁ ନିର୍ଯ୍ୟାତନା ପାଇଁ ସମାନ ଆଭିମୁଖ୍ୟ ଦେଖାଇବେ? ଇନଫୋସିଟି ଥାନା ଅଧୀନରେ ହୋଇଥିବା ନାବାଳିକା ନିର୍ଯ୍ୟାତନା ମାମଲାରେ ଏସବୁ ଗଣମାଧ୍ୟମ ଚୁପ୍ କାହିଁକି? ସିଲେକ୍ଟିଭ ଟାର୍ଗେଟ କରାଯିବାର ଅର୍ଥ କଣ ? ଷ୍ଟୁଡିଓରେ ଠିଆ ହୋଇ ନିଜକୁ ଡିଟେକ୍ଟିଭ ଭାବୁଥିବା କିଛି ସାମ୍ବାଦିକ, ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସର୍ଭବାରତୀୟ ପୁଲିସ ସେବାରେ କାହିଁକି ଯୋଗଦେଲେନି? ଏସି ରୁମରେ ବାସି ପ୍ରଶ୍ନ ପଚାରିବା ସହଜ ହେଲେ ୬ ମାସ ପରେ ଗୋଟିଏ ହତ୍ୟା ଘଟଣାର ପର୍ଦ୍ଦାଫାଶ କରି ପରୀକୁ ନ୍ୟାୟ ଦେବା କେତେ କଷ୍ଟ, ସକଥା ବୁଝିପାରିବେନି ନୁଆ ନୁଆ ଷ୍ଟୁଡିଓରେ ମୁହଁ ଦେଖାଉଥିବା ଡିଟେକ୍ଟିଭ ଜର୍ଣ୍ଣଲିଷ୍ଟ ।