ଚିନ୍ତା ବଢାଇଲେ ବ୍ରିଟେନ୍ ଫେରନ୍ତା
ଓଡିଶାରେ ବ୍ରିିଟେନ ସଂକ୍ରମଣ । କରୋନାର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଘଟଣା ଅଧିକ ସ୍ପଷ୍ଟ ହେବା ଦରକାର। ଅନ୍ୟପକ୍ଷରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ, କରୋନା ନେଇ କାହାରିକୁ ଭୟଭୀତ ହେବାର ଆବଶ୍ୟକତା ନାହିଁ।
ଗତ ମାସ ୧୮ ତାରିଖରେ ଏହି ବ୍ୟକ୍ତି ବ୍ରିଟେନରୁ ଫେରିଥିଳେ। ପରୀକ୍ଷା ପରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ରିଟେନ କରୋନା ନୂଆ ରୂପକୁ ନେଇ ଭୟ ଖେଳି ଯାଇଥିଲା, ପୁଣି ଓଡିଶାରେ ନୂଆ କରୋନା ଭାଇରସରେ ଜଣେ ବ୍ୟକ୍ତି ଚିହ୍ନଟ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି।
କରୋନା ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି। ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟ ନୂଆ ଏସଓପି ଜାରି କରାଯାଇଛି। ବିଦେଶ ଫେରନ୍ତାଙ୍କ ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ବିମାନବନ୍ଦର ଟର୍ମିନାଲ ପରିସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଂଚ କରାଯାଉଛି।