କଟକ: କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ନୋଟିସ୍ ଜାରି କରିଛନ୍ତି। ମାମଲାରେ ଏକ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବିଭିପି ରାଜ୍ୟ ସଂପାଦକ ଅରିଜିତ ପଟ୍ଟନାୟକ ଓ ଓଡ଼ିଶାରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚଣ୍ଡୀପ୍ରସାଦ ସୁଆରଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ୨୦୨୩-୨୪ ଶିକ୍ଷା ବର୍ଷରେ ଛାତ୍ରସଂସଦ ନିର୍ବାଚନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ପ୍ରସଂଗ ନେଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ୨୦୧୯ରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଯାଉନାହିଁ। ଏହା ସମ୍ବିଧାନର ଧାରା ୧୯ ଓ ୨୧ରେ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ଲିଙ୍ଗ୍ଡୋ କମିଟି ଅନୁମୋଦନର ବିରୁଦ୍ଧାଚରଣ କରୁଛି। ଏଥିସହିତ ସୁପ୍ରିମକୋର୍ଟ କେରଳ ବିଶ୍ବବିଦ୍ୟାଳୟ ବନାମ୍ କାଉନସିଲ୍ ଅଫ୍ ପ୍ରିନ୍ସିପାଲ୍ସ ଅଫ୍ କଲେଜସ୍, କେରଳ ମାମଲାରେ ପ୍ରଦାନ କରିଥିବା ରାୟର ମଧ୍ୟ ଏହା ଉଲ୍ଲଂଘନ। ଛାତ୍ରଛାତ୍ରୀଙ୍କ ପ୍ରତିନିଧିମଣ୍ଡଳୀରେ ନିଯୁକ୍ତି ପାଇଁ ଛାତ୍ର ସଂସଦ ନିର୍ବାଚନ ଦେଶର ସବୁ ବିଶ୍ବବିଦ୍ୟାଳୟ ଓ କଲେଜରେ ଅନୁଷ୍ଠିତ ହେବ ବୋଲି ସୁପ୍ରିମକୋର୍ଟଙ୍କ ରାୟରେ ଉଲ୍ଲେଖ ରହିଛି। କିନ୍ତୁ ନିୟମ ଉଲ୍ଲଂଘନ କରି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ଅଣଦେଖା କରି ସରକାର କୌଣସି କଲେଜ, ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଅନୁମତି ଦେଉ ନାହାନ୍ତି।