ଖାଲି ଅଫିସର୍ ବଦଳିଲେ ହେବନି !
ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ୧୧ ଜିଲ୍ଲାର ଏସପିଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ନୂଆ ପଦ ପଦବୀ ପାଇଛନ୍ତି । ତାଲିକାରେ ରହିଛି ନୟାଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କ ନାଁ । ନୟାଗଡ ପରୀ ମୃତ୍ୟୁ ମାମଲାରେ ତଦନ୍ତରେ ଶିଥିଳତାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ । ଅପରାଧୀକୁ ଧରିନପାରିବାର ବିଫଳତା ପାଇଁ ସେ ବଦନାମ ବି ହୋଇଥିଲେ । ଆଉ ଶେଷରେ ତାଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଆସିଷ୍ଟାଣ୍ଟ ଆଇଜି ଭାବେ ସେ ମୁଖ୍ୟାଳୟରେ ରହିବେ ।
ଆଇପିଏସ ଅଦଳବଦଳର ଏହି ପୁରା ତାଲିକା ଭିତରେ ଯେଉଁ ଦିଗଟିକୁ ସମସ୍ତଙ୍କ ନଜର ଦିବା ଦରକାର, ତାହା ହେଉଛି, ଯଦି ପୁଲିସ ଅଧିକାରୀ ନିଜ ଦାୟିତ୍ୱକୁ ସଠିକ ଢଙ୍ଗରେ ପରିଚାଳନା କରନ୍ତେ, ତେବେ କୈାଣସି ସମସ୍ୟାର ସାମ୍ନା କରିବାକୁ ପଡନ୍ତା କି? ଯଦି ଆଇପିଏସ ଅରୁଣ ବୋଥ୍ରା ୨୦ ଦିନ ଭିତରେ ଅପରାଧୀକୁ ଧରିପାରୁଛନ୍ତି, ସେଠି ଆଇପିଏସ ପ୍ରତ୍ୟୁଷ ଦିବାକର ୫ ମାସ ପରେ ମଧ୍ୟ ଅପରାଧୀର ଟେର ପାଉନଥିଲେ । ହୁଏତ ଆପଣ କହିପାରନ୍ତି, ଅରୁଣ ବୋଥ୍ରା କେବଳ ଏହି କାମ ପାଇଁ ଦାୟିତ୍ୱ ପାଇଥିଲେ, ପ୍ରତ୍ୟୁଷ ଦିବାକରଙ୍କ ସାମ୍ନାରେ ଜିଲ୍ଲାର ସମସ୍ତ ଆଇନଶୃଙ୍ଖଳା ଦାୟିତ୍ୱ ଥିଲା । ବାସ୍ତବତା ହେଲା ପ୍ରତ୍ୟୁଷ ଦିବାକର ଚାହିଁଥିଲେ, ଏହି ମାମଲାକୁ ସେ ଏକ କେସଷ୍ଟଡି ଭାବେ ଗ୍ରହଣ କରିପାରିଥାନ୍ତେ ଏବଂ କେବଳ ଏହି କେସ୍ ଉପରେ ଧ୍ୟାନ ଦେଇ ସେ ଅପରାଧି ପାଖରେ ପହଁଚି ପାରିଥାନ୍ତେ ।
ଯେଉଁ ଦିଗ ଉପରେ ଆମେ ଗୁରୁତ୍ୱାରୋପ କରିବାକୁ ଚାହୁଁଛୁ, ତାହା ହେଲା ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବାର ମାନସିକତା । ଏଥିପ୍ରତି ଯଦି ଅଧିକାରୀ ସଚେତନ ରହୁଛନ୍ତି, ତେବେ ମାମଲା ଯେତେବଡ ହେଲେ ମଧ୍ୟ ଅପରାଧୀ ଧରାପଡିବାର ସମ୍ଭାବନା ସୃଷ୍ଟି ହୋଇଥାଏ । ପରୀ ମାମଲାକୁ ଗୋଟିଏ କେସଷ୍ଟଡି ଭାବେ ସବୁ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଏବଂ ତଦନ୍ତକାରୀ ଅଧିକାରୀ ନେବା ଉଚିତ । ଏବଂ ଭବିଷ୍ୟତରେ ଏଥିରୁ ଶିକ୍ଷାଲାଭ କରିବା ପାଇଁ ସଂକଳ୍ପ ମଧ୍ୟ ନେବା ଉଚିତ । ଏଭଳି ହେଲେ ଯାଇ ପ୍ରତି ମାମଲାର ମୁଳରେ ତଦନ୍ତକାରୀ ଅଧିକାରୀ କହଁଚିପାରିବେ । ନଚେତ କୈାଣସି ବିବାଦ ହେଲେ ହିଁ ଜଣେ ନ୍ୟାୟ ପାଇପାରିବ । ଆଉ ବିବାଦ ଆଗକୁ ବଢିଲେ ଖାଲି ଏକ ବଦଳି ତାଲିକା ବାହାର କରିବା ହିଁ ସାର ହେବ ।