THE BYAPINI

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନୌସେବା ଆରମ୍ଭ : ନାଗାପଟ୍ଟିନମ୍‌ରୁ କାନକେସନଥୁରାଇକୁ ଚାଲିଲା ଯାତ୍ରୀବାହୀ ଜାହାଜ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତର ନାଗାପଟ୍ଟିନମ୍ ଓ ଶ୍ରୀଲଙ୍କାର କାନକେସନଥୁରାଇ ମଧ୍ୟରେ ନୌସେବାକୁ ଶନିବାର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ
ସମବେତ ଜନତାଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗାପଟ୍ଟିନମ୍ ଓ କାନକେସନଥୁରାଇ ମଧ୍ୟରେ ନୌସେବାର ଉଦ୍‌ଘାଟନ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କୂଟନୈତିକ ଓ ଆର୍ଥିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବା ସହ ଏହା ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସଂସ୍କୃତି, ବାଣିଜ୍ୟ ଓ ସଭ୍ୟତାର ଇତିହାସ ଉପରେ ଅବଲୋକନ କରି ଶ୍ରୀ ମୋଦୀ କହିଥିଲେ ଯେ ନାଗାପଟ୍ଟିନମ୍ ଓ ଆଖାପାଖ ନଗରୀଗୁଡିକ ସାମୁଦ୍ରିକ ବାଣିଜ୍ୟ ନିମନ୍ତେ ଜଣାଶୁଣା । ଶ୍ରୀଲଙ୍କା ଓ ଅନ୍ୟାନ୍ୟ ଦେଶଗୁଡିକ ସହ ଏହି ବାଣିଜ୍ୟିକ ସମ୍ପର୍କ ରହିଥିବା ବେଳେ ପ୍ରାଚୀନ ତାମିଲ ସାହିତ୍ୟରେ ପୁମ୍ପୁହର ଐତିହାସିକ ବନ୍ଦରର ଉଲ୍ଲେଖ ମଧ୍ୟ ରହିଛି ।

ସେ ମଧ୍ୟ ସଂଗମ ଯୁଗ ସାହିତ୍ୟରେ ପାଟିନାପାଲ୍ଲାଇ ଓ ମଣିମେକଲାର ବିଷୟ ଉଲ୍ଲେଖ କରିଥିଲେ, ଯାହା ଦୁଇ ଦେଶ ମଧ୍ୟରେ ନୌକା ଯାତାୟତ ନେଇ ସୂଚନା ଦେଇଥାଏ । ଶ୍ରୀ ମୋଦୀ ମଧ୍ୟ ମହାନ୍ କବି ସୁବ୍ରମନିୟମ୍ ଭାରତୀଙ୍କ ସଙ୍ଗୀତ ‘ସିନ୍ଧୁ ନଧିୟିନୀ ମିଶାଇ’ ଉଳ୍ଲେଖ କରି  ଭାରତ ଓ ଶ୍ରୀଲଙ୍କାକୁ ସଂଯୋଗ କରୁଥିବା ସେତୁର ଅବତାରଣା କରିଥିଲେ । ଏହି ନୌସେବା ସମସ୍ତ ଐତିହାସିକ ଓ ସାଂସ୍କୃତିକ ସଂଯୋଗକୁ ପୁଣି ଜୀବନ୍ତ କରିଦେଇଛି ବୋଲି ସେ କହିଥିଲେ ।

ଶ୍ରୀଲଙ୍କା ରାଷ୍ଟ୍ରପତି ବିକ୍ରମ ସିଂଘେଙ୍କ ନିକଟରେ ଭାରତ ଗସ୍ତ କାଳରେ ସଂଯୋଗୀକରଣକୁ ମୁଖ୍ୟ ବିଷୟ ବିବେଚନା କରି ଆର୍ଥିକ ଭାଗିଦାରିତା ଉପରେ ଏକ ଯୁଗ୍ମ ଦୃଶ୍ୟପତ୍ର ମଧ୍ୟ ତିଆରି ହୋଇଥିବା ଶ୍ରୀ ମୋଦୀ କହିଥିଲେ । “ସଂଯୋଗୀକରଣ କେବଳ ଦୁଇ ନଗରୀକୁ ଯୋଡୁନାହିଁ, ଏହା ଆମର ଦେଶ, ଜନସାଧାରଣ ଓ ହୃଦୟକୁ ମଧ୍ୟ ଯୋଡୁଛି” ବୋଲି ଶ୍ରୀ ମୋଦୀ କହିଥିଲେ । ସଂଯୋଗୀକରଣ, ବାଣିଜ୍ୟ, ପର୍ଯ୍ୟଟନ ଓ ଜନସମ୍ପର୍କ ବୃଦ୍ଧି କରିବା ସହ ଉଭୟ ଦେଶର ଯୁବଗୋଷ୍ଠୀ ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ ।

ଦିଲ୍ଲୀ ଓ କଲମ୍ବୋ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପରେ ୨୦୧୫ରେ ଶ୍ରୀଲଙ୍କା ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ । ପରେ ପରେ ଶ୍ରୀଲଙ୍କାରୁ ତୀର୍ଥନଗରୀ କୁଶୀନଗରକୁ ପ୍ରଥମ ଆନ୍ତର୍ଜାତିକ ବିମାନ ସେବା ମଧ୍ୟ ଉତ୍ସବଭାବେ ପାଳନ କରାଯାଇଥିଲା । ୨୦୧୯ରେ ଜାଫନା-ଚେନ୍ନାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିବାବେଳେ ଏବେ ନାଗାପଟ୍ଟିନମ୍ ଓ କନକେ୍ସନଥୁରାଇ ମଧ୍ୟରେ ନୌସେବା ଏ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ମୋଦୀ କହିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.