ଡେଙ୍ଗୁରା ପିଟି ନିଶ୍ଚିତ କଲା : ଶୁକ୍ରବାରରୁ ରାଜଧାନୀରେ ପରିବା ବିକ୍ରି ବନ୍ଦ ଜିଦ୍ରେ ଅଟଳ ମହାସଂଘ ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ଠାରୁ ଭୁବନେଶ୍ବରରେ ପରିବା ବିକ୍ରି ବନ୍ଦ ରହିବା ନେଇ ରାଜଧାନୀ କଞ୍ଚା ପରିବା ମହାସଂଘ ଚେତାବନୀ ଦେଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ୟବସାୟ ବନ୍ଦ ରହିବାକୁ ଚେତାବନୀ ଦିଆଯାଇଥିବାରୁ ଛୋଟ ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି। ପ୍ରତ୍ୟେକ ଦିନ ଗ୍ରାହକ ପରିବା କିଣୁଥିବା ବେଳେ ଛୋଟ ଛୋଟ ବ୍ୟବସାୟୀ ଏହି ବେପାରରୁ ପରିବାର ଚଳାନ୍ତି। ଛୋଟ ବ୍ୟବସାୟୀ ୟୁନିଟ୍-୧ ହାଟରୁ ପରିବା ନେଇ ବିଭିନ୍ନ ହାଟ ଓ ରାସ୍ତାକଡ଼ରେ ବିକ୍ରି କରିଥାନ୍ତି। ୟୁନିଟ୍-୧ ହାଟ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ଯାଉଥିବାରୁ ରାଜଧାନୀରେ ଥିବା ୨୦ରୁ ଊର୍ଦ୍ଧ୍ବ ହାଟରେ ପରିବା ଉପଲବ୍ଧ ହେବନାହିଁ। ଆଳୁ ପିଆଜ କିଛି ଦିନ ରହିବା ଆଶା ଥିଲେ ମଧ୍ୟ କଞ୍ଚା(ସବୁଜ) ପରିବା ଉପଲବ୍ଧ ହେବାର କୌଣସି ସମ୍ଭାବନା ନାହିଁ। ଦୁଇଦିନ ତଳୁ ବିଏମ୍ସି ଓ କମିସନରେଟ୍ ପୁଲିସକୁ ଅବଗତ କରାଯାଇଥିଲେ ମଧ୍ୟ କେହି ହସ୍ତକ୍ଷେପ କରିନଥିବାରୁ ବ୍ୟବସାୟ ବନ୍ଦ ରଖିବା ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଆଜି ପୂର୍ବାହ୍ନ ଓ ଅପରାହ୍ଣରେ ୧ ନଂ ହାଟ ପରିସରରେ ମହାସଂଘ ପକ୍ଷରୁ ଡେଙ୍ଗୁରା ପିଟାଯାଇ ୨୦ ତାରିଖରୁ ଆନ୍ଦୋଳନ ବାବଦରେ ସୂଚନା ଦିଆଯାଇଛି।
କ୍ୟାପିଟାଲ୍ ଥାନା କଡ଼ରେ ଥିବା ହାଟ ପ୍ରବେଶ ପଥରେ ଦୁର୍ଗାପୂଜା ପାଇଁ ତୋରଣ ହୋଇ ରାସ୍ତାର ଉଭୟପାର୍ଶ୍ବରେ ବାଉଁଶ ପୋତା ଯାଇଥିବାରୁ ରାସ୍ତା ସଙ୍କୁଚିତ ହୋଇଛି। ସଙ୍କୁଚିତ ରାସ୍ତା ପାଇଁ ଗାଡ଼ି ପଶି ପାରୁନାହିଁ। ପୂଜା ମୁଖ୍ୟ ରାସ୍ତାକଡ଼ରେ ହେଉଛି। ଗଳି ଭିତରେ ଏହି ସାଜସଜ୍ଜାର ଆବଶ୍ୟକତା ନାହିଁ। କେବଳ ଏହି ରାସ୍ତା ଜବରଦଖଲ ସମସ୍ୟା ନୁହେଁ, ଅସ୍ଥାୟୀ ଭାବେ ହାଟ ପାଖରେ ମୂର୍ତ୍ତୀ ବିକ୍ରି କରିବାକୁ ସ୍ବୀକୃତି ଦେବା, ଶୀତବସ୍ତ୍ର ବଜାର ଓ ପ୍ଲାଷ୍ଟିକ ବଜାରକୁ ସ୍ବୀକୃତି ଦେବାଦ୍ବାରା ହାଟ ଭିତରକୁ ଭାରୀଯାନ ଚଳାଚଳରେ ଅସୁବିଧା ହେଉଛି। ଏସବୁ ଉପରେ ବିଚାର କରାଯିବା ଜରୁରୀ ବୋଲି କଞ୍ଚା ପରିବା ମହାସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି। ତେବେ ଆଲୋଚନା ମାଧ୍ୟମରେ ଏହି ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ।