ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରେମ
ଆଗାମୀ ହକି ବିଶ୍ୱକପ ପାଇଁ ପ୍ରସ୍ତୁତି । ୨୦୧୮ରେ ପୁରୁଷ ହକି ବିଶ୍ୱକପ୍ର ସଫଳତାର ସହ ଆୟୋଜନ ପରେ ୨୦୨୩ରେ ସମ୍ମାନଜନକ ‘ପୁରୁଷ ହକି ବିଶ୍ୱକପ୍’ ଆୟୋଜନ କରିବାକୁ ଓଡିଶାକୁ ପୁଣିଥରେ ସୁଯୋଗ ମିଳିଛି । ରାଉରକେଲାରେ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ-୨୦୨୩ । ମୁଖ୍ୟମନ୍ତ୍ରୀଙ୍କ ଏହି ବଡ ଘୋଷଣା ରାଜ୍ୟର ହକି ପ୍ରେମୀଙ୍କ ମନରେ ଖୁସି ଖେଳାଇ ଦେଇଛି ।
ରାଉରକେଲାର ‘ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି’ ପରିସରରେ ୧୫ ଏକର ଜମିରେ ଏହି ଷ୍ଟାଡିୟମ୍ ନିର୍ମାଣ କରାଯିବ। ଯେଉଁଥିରେ ପ୍ରାୟ ୨୦ ହଜାର ଦର୍ଶକ ଏକା ସାଂଗେ ବସି ବସି ଖେଳ ଦେଖିପାରିବେ । ଷ୍ଟାଡିୟମରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଖେଳାଳିଙ୍କ ପାଇଁ ଉପଲବ୍ଧ କରାଯିବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକି ପ୍ରତିଭାର ପାୱାର ହାଉସ୍। ଏହି ଜିଲ୍ଲାରୁ ବହୁ ହକି ପ୍ରତିଭା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଛନ୍ତି। ଭାରତୀୟ ଦଳର ନେତୃତ୍ୱ ନେଇଥିବା ଦିଲୀପ ତିର୍କୀ ଏବଂ ସୁନୀତା ଲାକ୍ରା ଦେଶ ପାଇଁ ଗୌରବ ଆଣିଛନ୍ତି। ଏଣୁ ରାଉରକେଲାରେ ଅନ୍ତର୍ଜାତୀୟ ସ୍ତରରେ ହକି ଷ୍ଟାଡିୟମ ନିର୍ମାଣ କରାଯିବ।
ସୁନ୍ଦରଗଡ ଜିଲ୍ଲାର ଏହି ଷ୍ଟାଡିୟମର ୧୭ଟି ବ୍ଲକରେ ସିନ୍ଥେଟିକ୍ ଟର୍ଫ କାମ ଆରମ୍ଭ ହୋଇସାରିଥିବା କୁହାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକି ପ୍ରତିଭାଧରଙ୍କ ଗନ୍ତାଘର। ତେଣୁ ଆଗାମୀ ଦିନରେ ଏହି ଜିଲ୍ଲାରେ କିପରି ହକିର ବିକାଶ ହେବ, ସେନେଇ ରାଜ୍ୟ ସରକାର ଅନେକ ଘୋଷଣା କରିଛନ୍ତି ।