ଭୁବନେଶ୍ବର: ଚୀନର ହାଙ୍ଗଝୌରେ ଚାଲିଥିବା ପାରା ଏସିଆନ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ପୁରୁଷ ଏସଏଲ୍ ଥ୍ରୀ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରମୋଦ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ଭଗତ ପଦକ ହାତେଇଛନ୍ତି। ଫାଇନାଲରେ ସେ ନିତେଶଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରିଛନ୍ତି। ପ୍ରଥମ ଥର ପାଇଁ ପାରା ଏସୀୟ କ୍ରୀଡ଼ାରେ ୩ଟି ପଦକ ହାସଲ କରିଛନ୍ତି ପ୍ରମୋଦ। ୨୦୧୮ ପାରା ଏସୀୟ କ୍ରୀଡ଼ାରେ ମଧ୍ୟ ସେ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ସାରା ଦେଶ ତଥା ରାଜ୍ୟକୁ ଗୌରବାନ୍ବିତ କରିଥିଲେ ଓଡ଼ିଆ ପୁଅ ପ୍ରମୋଦ।
ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୨ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣପଦକ ଜିତିଥିବା ପ୍ରମୋଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ପ୍ରମୋଦଙ୍କ ସଫଳତା ପାଇଁ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରମୋଦ ଭଗତ ହେଉଛନ୍ତି ସର୍ବୋତ୍ତମ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ। ସେ ୨୦୨୪ ପ୍ୟାରୀସ ପାରା ଅଲମ୍ପିକ୍ସ ଗେମ୍ସରେ ମଧ୍ୟ ଆମ ସମସ୍ତଙ୍କୁ ଗର୍ବିତ କରିବେ ବୋଲି ମୁଁ ନିଶ୍ଚିତ। ୨୦୨୪ ପ୍ୟାରୀସ ପାରା ଅଲିମ୍ପିକ୍ସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମୋଦଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।