ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ୫୧୭୫ଟି ମାମଲାରେ ଶୀଘ୍ର ରାୟ ଶୁଣାଇବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସବୁ ରାଜ୍ୟର ହାଇକୋର୍ଟଙ୍କୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ସୁପ୍ରିମ କୋର୍ଟ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଟ୍ରାଏଲ କୋର୍ଟ ପାଇଁ ସମାନ ମାର୍ଗଦର୍ଶିକା ଗଠନ କଷ୍ଟକର ଏବଂ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରି ଏହାର ତ୍ୱରିତ ଶୁଣାଣି କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମ କୋର୍ଟ ପକ୍ଷରୁ କୁହାଯାଇଛି ଯେ ଆଜୀବନ କାରାଦଣ୍ଡ ଓ ଫାଶୀ ଦଣ୍ଡାଦେଶ ଥିବା ମାମଲାଗୁଡିକୁ ଅଧିକ ପ୍ରାଥମିକତା ଦିଆଯାଇ ହାଇକୋର୍ଟ ଏଥିପାଇଁ ସ୍ୱତନ୍ତ୍ର ବେଞ୍ଚ ମଧ୍ୟ ଗଠନ କରିପାରିବେ। ସମ୍ପୃକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇପାରିବ। ତେବେ ଏଭଳି ମାମଲାରେ ଟାଇମ୍ଲାଇନ୍କୁ ନେଇ କୌଣସି ନିର୍ଦେଶ ଦିଆଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୁଡଙ୍କ ବେଞ୍ଚ କହିଛନ୍ତି।