ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ସାମ୍ବାଦିକମାନଙ୍କ ପାଇଁ ବିଜେପିର ଦୀପାବଳି ମିଳନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ଡିପ୍ଫେକ୍ ବଡ଼ ସଂକଟ ଆଣିପାରେ। ଏପରିକି ଭାରତ ଭଳି ବିବିଧତାପୂର୍ଣ୍ଣ ସମାଜରେ ଘୃଣାର ନିଆଁ ଲଗାଇ ଦେଇପାରେ। ପ୍ରଯୁକ୍ତିର ଏପରି ଅପବ୍ୟବହାରର ବିପଦ ସଂପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ଏହି ଅବସରରେ ଆହ୍ବାନ ଦେଇଛନ୍ତି। ନୂଆକରି ମୁଣ୍ଡ ଟେକିଥିବା ପ୍ରଯୁକ୍ତି ସଂପର୍କରେ ସଚେତନ ଓ ସତର୍କ ରହିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଗଣମାଧ୍ୟମ ଏଆଇ ଜରିଆରେ ପ୍ରସ୍ତୁତ ହେଉଥିବା ଏଭଳି ଭିଡିଓ ପ୍ରଯୁକ୍ତିର ନକାରାତ୍ମକ ଦିଗ ସଂପର୍କରେ ଲୋକଙ୍କୁ ସୂଚନା ଦେବା ଆବଶ୍ୟକ। ସାମାଜିକ ଗଣମାଧ୍ୟମରେ ଡିପଫେକ୍ ଜରିଆରେ ଗୋଟିଏ ଚରିତ୍ରକୁ ଯେତେବେଳେ ନକଲି ବନାଯାଉଛି ସେତେବେଳେ ଅଧିକାଂଶ ଲୋକଙ୍କ ନିକଟରେ ତାହାକୁ ଯାଞ୍ଚ କରିବାର ବିକଳ୍ପ ନାହିଁ। ତେଣୁ ଲୋକମାନେ ଡିପଫେକ୍ ଜରିଆରେ ପ୍ରସ୍ତୁତ ନକଲି ଫଟୋ ଓ ଭିଡିଓଙ୍କୁ ସତ ଭାବିବାର ସମସ୍ତ ସମ୍ଭାବନାର ରହିଛି। ଏହା ଆଗକୁ ବଡ଼ ଚାଲେଞ୍ଜ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍ଫେକ୍ ଫିଚର ଜରିଆରେ ପ୍ରସ୍ତୁତ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଡିପ୍ଫେକ୍ ଭିଡିଓ ପ୍ରସ୍ତୁତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଅପବ୍ୟବହାର କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ସେ ନିଜେ ମଧ୍ୟ ଏହାର ଶିକାର ହୋଇଛନ୍ତି ବୋଲି କହିଛନ୍ତି। ନିକଟରେ ସେ ଗର୍ବା ନାଚୁଥିବା ଭିଡିଓ ଦେଖିଥିଲେ। ତାହା ତାଙ୍କର ଅସଲି ଭିଡିଓ ନଥିଲା, ବରଂ ରୂପାନ୍ତରିତ ବା ନକଲି ଭିଡିଓ ଥିଲା। ବାସ୍ତବତା ହେଲା ସେ ତାଙ୍କ ବିଦ୍ୟାଳୟ ଜୀବନ ପରେ କେବେ ଗର୍ବା ନାଚିନାହାନ୍ତି। କେହି ଜଣେ ମୋର ଡିପ୍ଫେକ୍ ପ୍ରସ୍ତୁତ କରିଛି କହିଛନ୍ତି ମୋଦୀ।