THE BYAPINI

ସେବାୟତଙ୍କ ଶିବ ଦର୍ଶନ

Get real time updates directly on you device, subscribe now.

ଦୀର୍ଘ ୯ ମାସ ପରେ ଖୋଲିଛି ଲିଙ୍ଗରାଜ ମନ୍ଦିର । ପୁରୀ ଢାଂଚାରେ ଏକାମ୍ର କ୍ଷେତ୍ରରେ ମଧ୍ୟ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଥିବା ବେଳେ ପ୍ରଥମେ ଶିବ ଦର୍ଶନ କରିଛନ୍ତି ସେବାୟତ । ତେବେ ମନ୍ଦିରରେ ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ମନ୍ଦିର ବାହାରେ ହିଁ ଅସ୍ଥାୟୀ କୋଭିଡ ସେଂଟର କରାଯାଇଛି । ଯେଉଁମାନଙ୍କ ପାଖରେ କୋଭିଡ ନେଗେଟିଭ ରିପୋର୍ଟ ନାହିଁ ସେମାନେ ସେଠାରେ ହିଁ ପରୀକ୍ଷା କରି ରିପୋର୍ଟ ଆସିବା ପରେ ମନ୍ଦିର ଭିତରକୁ ଯାଉଛନ୍ତି । ବିଏମସି ପକ୍ଷରୁ କରାଯାଇଥିବା ଏଭଳି ପଦକ୍ଷେଦକୁ ସାଧାରଣରେ ପ୍ରଶଂସା କରାଯାଇଛି ।

କୋଭିଡ କଟକଣା ମଧ୍ୟରେ ସମସ୍ତ ସେବାୟତଙ୍କ ପରିବାର ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ପ୍ରବେଶ କରିବା ପାଇଁ ସ୍ବତନ୍ତ୍ର ବାରିକେଡ୍ କରାଯାଇଛି । ସେବାୟତଙ୍କ ପରିବାର ପରେ ଭୁବନେଶ୍ବରବାସୀ ଏବଂ ପରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ଏଥିପାଇଁ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ୨୭ ତାରିଖରୁ ୩୧ ତାରିଖ ପର‌୍ୟ୍ୟନ୍ତ ସେବାୟତଙ୍କ ପରିବାର ଲୋକେ ଦର୍ଶନ କରିବେ । କୋଭିଡ୍ ଟେଷ୍ଟ ପରେ ମନ୍ଦିରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ । ଏଥର ଗର୍ଭଗୃହକୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷାକରି ଭକ୍ତମାନେ ଧାଡ଼ିରେ ଯିବେ ।

ଜାନୁଆରୀ ୧ ଓ ୨ରେ ଦର୍ଶନ ବନ୍ଦ ରହିବ । ୩ ତାରିଖରୁ ୫ ତାରିଖ ପର‌୍ୟ୍ୟନ୍ତ ରାଜଧାନୀବାସୀ, ୬ ତାରିଖ ପରଠାରୁ ବାହାର ଲୋକଙ୍କୁ ଅନୁମତି ଦିଆଯିବ । ବିଏମସି ପକ୍ଷରୁ ଆବଶ୍ୟକତା ଅନୁଯାୟୀ ମନ୍ଦିର ବାହାରେ ବ୍ୟାରିକେଡ୍ କରି ପୁଲିସକୁ ହସ୍ତାନ୍ତର କରାଯାଇଛି। ଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ ବଳ ସହ ୨ ସେକ୍ସନ ମହିଳା ପୁଲିସ ବଳ ନିୟୋଜିତ ହେବେ। ସମସ୍ତେ ଠିକ୍ ଭାବେ ମାସ୍କ ପିନ୍ଧିବା ସହ ୬ ଫୁଟ୍ର ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ହାତଧୁଆ ଏବଂ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ପାନ ଓ ଗୁଟ୍ଖା ଖାଇବା ଏବଂ ମନ୍ଦିର ପରିସରରେ ଛେପ ପକାଇବା ଉପରେ କଟକଣା ଜାରି କରାଯାଇଛି। ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପ୍ରବେଶକୁ ବାରଣ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.