ନୂଆଦିଲ୍ଲୀ: ଏକଜାଟ୍ ହେବାକୁ ଯାଉଛି ଏକଜିଟ୍ ପୋଲ୍ । ତେଲେଙ୍ଗାନାରେ ସରକାର ପରିବର୍ତ୍ତନର ସଂକେତ। ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ କ୍ଲିନବୋଲ୍ଡ କରିଛି କଂଗ୍ରେସ ।
୪ଟି ରାଜ୍ୟରେ ଜନାଦେଶ ଆସୁଥିବା ବେଳେ, ସବୁଠୁ ଅଧିକ ଚର୍ଚ୍ଚାରେ ତେଲେଙ୍ଗାନା । ତେଲେଙ୍ଗାନାରେ ଦୀର୍ଘ ୯ ବର୍ଷ ଧରି ରାଜ୍ କରି ଆସୁଥିବା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି( ବିଆରଏସ)କୁ ଶକ୍ତ ଝଟକା ଲାଗିଛି । ସିଏମ୍ କେସିଆର ଲଗାତର ତୃତୀୟ ବିଜୟ ହାସଲ ସହ ହ୍ୟାଟ୍ରିକ କରିବାକୁ ପୁରା ଦମ୍ ଖଟାଇ ଦେଇଥିଲେ ମଧ୍ୟ, ସବୁ ଆଶା ଧୂଳିସାତ କରି ଦେଇଛି କଂଗ୍ରେସ ପାର୍ଟି । ଏପରିକି କେସିଆର ଦୁଇଟି ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ, ଗୋଟିଏ ଆସନରେ ପଛୁଆ ରହିଛନ୍ତି । କେସିଆର ଗଜୱେଲ ଆସନରେ ଆଗରେ ଥିବା ବେଳେ, କାମାରେଡ୍ଡି ଆସନରେ କଂଗ୍ରେସ ପିସିସି ସଭାପତି ରେଭାନ୍ତ ରେଡ୍ଡିଙ୍କଠାରୁ ପଛରେ ଅଛନ୍ତି । କେସିଆରଙ୍କ ରାଜନୈତିକ ବିପତ୍ତିର ପ୍ରମୁଖ କାରଣ ସାଜିଛନ୍ତି ରେଭାନ୍ତ ରେଡ୍ଡି । ତେଲେଙ୍ଗାନାରେ ସତ୍ତା ପରିବର୍ତ୍ତନ ଏବଂ କଂଗ୍ରେସକୁ ମାଇଲେଜ୍ ଦେବାରେ ମୁଖ୍ୟ ଭୂମିକା ନେଇଛନ୍ତି ରେଭାନ୍ତ ରେଡ୍ଡି।