ଓଡ଼ିଶାର ଏହି କ୍ରିକେଟରଙ୍କୁ ଦୁଇ ବର୍ଷ ବାସନ୍ଦ କଲା ବିସିସିଆଇ
କଟକ: ଓସିଏରେ ପୁଣି ବୟସ ଜାଲିଆତି ଅଭିଯୋଗ । ରଣଜୀ ଦଳରେ ସ୍ଥାନ ପାଇଥିବା ସୁମିତ ଶର୍ମାଙ୍କୁ ଦୁଇ ବର୍ଷ ବାସନ୍ଦ କଲା ବିସିସିଆଇ । ସେ ଏହି ଦୁଇ ବର୍ଷ ଯାଏ କୌଣସି ପ୍ରକାରର ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାର ସୁଯୋଗ ପାଇବେ ନାହିଁ। ପୂର୍ବରୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ସମୟରେ ଦେଇଥିବା ବୟସ ପ୍ରମାଣ ପତ୍ର ଓ ବର୍ତ୍ତମାନ ରଣଜୀ ଦଳ ପାଇଁ ଦେଇଥିବା ବୟସ ପ୍ରମାଣପତ୍ରରେ ତାଳମେଳ ନଥିବାରୁ ଧରାପଡି ଯାଇଥିଲେ ସୁମିତ। ଏଥିପାଇଁ ବିସିସିଆଇ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ଶା’ଙ୍କୁ ସ୍ଥାନ ମିଳିଛି। ଓଡ଼ିଶା କ୍ରିକେଟ ଆସୋସିଏସନରେ କ୍ରିକେଟରଙ୍କ ବୟସ ଜାଲିଆତି ଘଟଣା ନୂଆ ନୁହେଁ। ଏମିତି କି ବୟସ ଜାଲିଆତିକୁ ନେଇ ସିବିଆଇ ତଦନ୍ତ କରିବା ପରେ ଉଭୟ ପୁରୁଷ ଓ ମହିଳା ଦଳର ୨୦ରୁ ଅଧିକ ଖେଳାଳିଙ୍କୁ ବାସନ୍ଦ କରାଯାଇଥିଲା। ବୟସ ଜାଲିଆତିଙ୍କୁ ରୋକିବା ପାଇଁ ମୋବାଇଲ ଆପ୍ଲିକେସନର ବ୍ୟବସ୍ଥା ମଧ୍ୟ ଓସିଏ କରିଛି। ତଥାପି ବାରମ୍ବାର ଓଡ଼ିଶା ଟିମରୁ ବୟସ ଜାଲିଆତି ଖବର ଆସିଛି।