THE BYAPINI

ଚିଲିକା ପରେ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

Get real time updates directly on you device, subscribe now.

କେନ୍ଦ୍ରାପଡା: ଚିଲିକା ପରେ ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଭିତରକନିକା ଜାତୀୟ ଉଦ୍ୟାନରେ ଆଜି ପକ୍ଷୀ ଗଣନା ଆରମ୍ଭ ହୋଇଛି । ପକ୍ଷୀ ବିହାର ଭାବେ ପରିଚିତ ଭିତରକନିକା ଏବଂ ତତ୍‌ସଂଲଗ୍ନ ଆଦ୍ରଭୂମିରେ ଭିଡ଼ ଜମାଇଥିବା ବିଦେଶାଗତ ପକ୍ଷୀଙ୍କୁ ଗଣନା କରୁଛନ୍ତି ୧୮ଟି ଟିମ୍ । ଆଜି ଦିନ ତମାମ ପକ୍ଷୀ ଗଣନା ଜାରି ରହିବ । ଏଥିପାଇଁ ଶୁକ୍ରବାର ତାଲିମ ନେଇଥିଲେ ଟିମର ସଦସ୍ୟ ।

ଆଜି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । କନିକା ରେଞ୍ଜ ଅଧିନରେ ୨ଟି ଟିମ, ରାଜନଗର ରେଞ୍ଜ ଅଧିନରେ ୬ଟି ଟିମ, ଗହୀରମଥା ରେଞ୍ଜ ଅଧିନରେ ୩ଟି ଟିମ, ମହାକାଳପଡ଼ା ରେଞ୍ଜ ଅଧିନରେ ୨ଟି ଟିମ ଓ କୁଜଙ୍ଗ ରେଞ୍ଜ ଅଧିନରେ ୫ଟି ଟିମ ସକାଳୁ ପକ୍ଷୀ ଗଣନା କାର୍ୟ୍ୟ କରୁଛନ୍ତି । ଭିତରକନିକା ପାଟିଆ, ଭାଣ୍ଡିତୁଠ ପାଟିଆ, ବଗଗହନ, ଖୋଳା, ନଳିତାପାଟିଆ, ଦୂର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦଡିଆ, କାଳୀଭଞ୍ଜଡ଼ିଆ ସହ କଣ୍ଡିଆଖାଇରେ ୨ଟି ଟିମ ଗଣନା କାର୍ୟ୍ୟରେ ସାମିଲ ଅଛନ୍ତି । ସେହିପରି ରାଜନଗର ରେଞ୍ଜ ଅଧିନରେ ଥିବା ଜଉଦିଆ, ସାତଭାୟା, ମଗରକନ୍ଦା, ୧୬ନମ୍ବର ଘେରି, ଅଙ୍ଗାରପାଟିଆ, ଚିଞ୍ଚିରିମୁହାଣ, କାକରପାଟିଆ, ଧାନଦିଆ, ରାଜପୁର, ଏକମାଣିଆ ଓ ହଂସୁଆ ପୋଲ ପର୍ୟ୍ୟନ୍ତ ୬ଟି ଟିମ ଗଣନା କରୁଛନ୍ତି ।
ଆଜି ପକ୍ଷୀ ଗଣନା ସରିବା ପରେ ଆସନ୍ତା ୧୦ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ଆରମ୍ଭ ହେବ । ତିନି ଦିନ ପର୍ୟ୍ୟନ୍ତ ଗଣନା ଜାରି ରହିବ । ଏଥିପାଇଁ ଶୁକ୍ରବାର ଠାରୁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିଛି ଭିତରକନିକା । ଆସନ୍ତା ୧୩ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କୁ ଭିତରକନିକା ଆସିବାକୁ ବାରଣ କରାଯାଇଛି । ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ କୁମ୍ଭୀର ଗଣନା ହେବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.