THE BYAPINI

ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ପାଣ୍ଡିଆନଙ୍କ ଚାଲେଞ୍ଜ

Get real time updates directly on you device, subscribe now.

ଭୁବନେଶ୍ୱର :  ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍‌କେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଜିଲାର ରଣପୁରଠାରେ ବୁଧବାର ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୫-ଟି ଅଧ୍ୟକ୍ଷ ବଡ଼ ଆହ୍ବାନ ମଧ୍ୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରାବର ନିନ୍ଦା ଓ ସମାଲୋଚନା କରିଆସୁଛନ୍ତି। ସମ୍ବଲପୁରରେ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ବିଏସ୍‌କେୱାଇ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ୫-ଟି ଅଧ୍ୟକ୍ଷ ଉଦ୍ଧାର କରିଥିଲେ। ବିଏସ୍‌କେୱାଇ ଏକ ପ୍ରହସନ। ବିଏସ୍‌କେୱାଇ କାର୍ଡ କିଛି କାମରେ ଆସୁନାହିଁ, ଏହାକୁ ନେଇ ଲୋକେ ହଇରାଣ ହେଉଛନ୍ତି। ଏଭଳି ଯୋଜନା ଓଡ଼ିଶାବାସୀଙ୍କ ପାଇଁ ଦରକାର ନାହିଁ ବୋଲି ଧର୍ମେନ୍ଦ୍ର ସଭାରେ କହିଛନ୍ତି। ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ନେଇ ପାଣ୍ଡିଆନ ଉତ୍ତର ରଖିବା ସହ ନମ୍ରତାର ସହ ଏକ ଚାଲେଞ୍ଜ ମଧ୍ୟ କରିଛନ୍ତି। ଯଦି ଏହି ଯୋଜନା ଏତେ ଖରାପ ତେବେ କେନ୍ଦ୍ରମନ୍ତ୍ରୀ, ତାଙ୍କ ଦଳ ଆଗାମୀ ନିର୍ବାଚନ ପୂର୍ବରୁ ପ୍ରକାଶ ହେବାକୁ ଥିବା ଦଳୀୟ ନିର୍ବାଚନୀ ଇସ୍ତାହାରରେ ବିଏସ୍‌କେୱାଇକୁ ବନ୍ଦ କରିବା ଲାଗି ଘୋଷଣା କରନ୍ତୁ। ବିଏସ୍‌କେୱାଇ ମାଧ୍ୟମରେ ଗରିବ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଦେଇଛନ୍ତି। ଏହି ଯୋଜନା ଦ୍ବାରା ବଡ଼ ବଡ଼ ହସ୍ପିଟାଲରେ ଗରିବ ଲୋକଙ୍କୁ ଚିକିତ୍ସା ସୁବିଧା ମିଳୁଛି। ଏହା କାହିଁକି ଆପଣଙ୍କ ଦେହରେ ଯାଉନି ଓ ଆପଣ କାହିଁକି ଏତେ ରାଗୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପାଣ୍ଡିଆନ କହିଛନ୍ତି। ଧର୍ମେନ୍ଦ୍ରଙ୍କ ଆଡ଼କୁ ଇଙ୍ଗିତ କରି ସେ କହିଛନ୍ତି ଯେ, ପ୍ରକୃତ ନିଦରେ ଶୋଇଥିବା ଲୋକଙ୍କୁ ଉଠାଇ ହେବ। ନିଦରେ ଶୋଇଥିବା ଭଳି ଅଭିନୟ କରୁଥିବା ଲୋକଙ୍କୁ ଉଠାଇ ହେବନାହିଁ। ତେବେ ଜନତା ଜୋରରେ କହିଲେ ସେମାନେ ଉଠିବେ। ଲୋକେ ବିଏସ୍‌କେୱାଇକୁ ନେଇ ଖୁସିରେ ଅଛନ୍ତି। ଏହି ନିନ୍ଦାର ଜବାବ ଓଡ଼ିଶାବାସୀ ଦେବେ ବୋଲି ମଧ୍ୟ ପାଣ୍ଡିଆନ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.