THE BYAPINI

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ବ୍ରାହ୍ମଣବରଣ କଲେ ଗଜପତି

Get real time updates directly on you device, subscribe now.

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ ୧୨ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରେ ବ୍ରାହ୍ମଣବରଣ ଓ ଗୁଆଟେକା କରିଛନ୍ତି। ବିଧିବିଧାନ ଅନୁଯାୟୀ ଗଜପତି ମହାରାଜା ରାଜଗୁରୁଙ୍କୁ ଗୁଆ ଟେକିବା ସହ ବରଣ କରିଥିଲେ। ନୀତି ସମ୍ପନ୍ନ କରିବା ପରେ ଗଜପତି ମହାରାଜା ଶ୍ରୀନଅରରେ ବ୍ରାହ୍ମଣମାନଙ୍କ ସହ ପ୍ରକଳ୍ପର କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବରଣ ହୋଇଥିବା ବ୍ରାହ୍ମଣମାନେ ଯଜ୍ଞସ୍ଥଳକୁ ଯାଇ ଅଙ୍କୁରାରୋପଣ କରିଥିଲେ। ସେହିପରି ଶନିବାର ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ। ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ। ୧୫ତାରିଖ ସକାଳ ସାଢ଼େ ୭ଟାରୁ ଅପରାହ୍ନ ୧ଟା ମଧ୍ୟରେ ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ୟ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ ଓ ମଣ୍ଡଳପୂଜନ ହେବ। ଏହାସହ ଶ୍ରୀମନ୍ଦିର ଚାରିଦୁଆରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ। ୧୬ରେ ସୂର୍ୟ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବ। ୧୭ ତାରିଖ ବୁଧବାର ସକାଳ ୭ଟାରୁ ପୂଜା ଓ ପ୍ରତିଷ୍ଠା କାର୍ୟ୍ୟ ଆରମ୍ଭ ହେବ। ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଲୋକାର୍ପଣ କରିବେ। ଏହାପରେ ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୁତି ଦେବେ। ଅପରାହ୍ନ ୩ଟା ପରେ ପରିକ୍ରମା ମାର୍ଗକୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ମୁକ୍ତ କରାଯିବ ବୋଲି ସୂଚନା ରହିଛି।
ଗଜପତିଙ୍କ ଦ୍ୱାରା ଗୁଆଟେକା ଓ ଆଚାର୍ୟ୍ୟବରଣ ପରେ ବରଣ ହୋଇଥିବା ଆଚାର୍ୟ୍ୟମାନେ ଯଜ୍ଞରେ ସହାୟତା କରିବେ। ଶ୍ରୀମନ୍ଦିରର ଏହି ପ୍ରତିଷ୍ଠା କାର୍ୟ୍ୟ ଯେପରି ବୈଦିକ ପରମ୍ପରା ଅନୁସାରେ ହେବ ଏବଂ ସାରା ବିଶ୍ୱ ଯେପରି ଓଡ଼ିଶାର କଳା, ନୈପୁଣ୍ୟକୁ ଦେଖିବା ସହ ରୀତି, ନୀତି, କଳା, ସଂସ୍କୃତି ଓ ପରମ୍ପରାକୁ ଦେଖିବ ସେ ବିଷୟରେ ଗଜପତି ଗୁରୁତ୍ୱ ଦେଇଛନ୍ତି। ଯଜ୍ଞ ସହ ଚାରିଦ୍ୱାରରେ ବେଦପାଠ କରାଯିବ। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯେପରି ୩୩ କୋଟି ଦେବଦେବୀ ଦର୍ଶନ କରିବାକୁ ଆସିଥାନ୍ତି ଠିକ୍‌ ସେହିଭଳି ବେଦପାଠ ସମୟରେ ଦେବଦେବୀମାନେ ଉପସ୍ଥିତ ହେବେ। ଓଡ଼ିଶାର ଜନସାଧାରଣ ମଧ୍ୟ କାର୍ୟ୍ୟରେ ଯୋଗଦେବେ। ତେବେ ସମୁଦାୟ ୪୮ଜଣ ବ୍ରାହ୍ମଣଙ୍କୁ ବରଣ କରାଯାଇଛି। ସେମାନଙ୍କୁ ବିଭିନ୍ନ ପଦପଦବୀ ପ୍ରଦାନ କରାଯାଇଛି। ଏହାପରେ ଅଙ୍କୁରାରୋପଣ କରାଯାଇଥିବା ନେଇ ପଣ୍ଡିତ ବିଶ୍ୱମ୍ବର ଦାଶ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.