ଭିତରକନିକାରେ ବଢିଲା କୁମ୍ଭୀର ସଂଖ୍ୟା
ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତ ବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୭୯୩ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି । ଅର୍ଥାତ୍ ଗତବର୍ଷ ଠାରୁ ଚଳିତ ବର୍ଷ ୧୮ କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି। ଚଳିତ ବର୍ଷ ଭିତରକନିକାରେ କନିକା ରଂଜେର ପାଟ୍ଟଶାଳାମାଉଥରୁ ଏଫଆରଏଚଜେଠି ମଧ୍ୟରେ ୨ଟି, ଏଫଆରଏଚ ଜେଠିରୁ ଖୋଳାମାଉଥ ମଧ୍ୟରେ ଗୋଟିଏ, ଗୁପ୍ତିରୁ ହଂସିଣା ମଧ୍ୟରେ ଗୋଟିଏ ୨୦ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀରକୁ ବନବିଭାଗ ଗଣନା ଟିମ୍ ଗଣନା ସମୟରେ ଠାବ କରିଛି।
ଚଳିତ ମାସ ୧୦ତାରିଖରୁ ୧୨ତାରିଖ ଯାଏଁ ୩ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା । ଏହି ଗଣନା ସମୟରେ ୫୮୨ ଟି କୁମ୍ଭୀରଶାବକ (ଛୁଆ) ଅର୍ଥ।ତ୍ ୨ ଫୁଟରୁ କମ ଲମ୍ବର କୁମ୍ଭୀର, ୩୮୭ଟି ବର୍ଷିକିଆ ଛୁଆ ଅର୍ଥ।ତ୍ ୨ ରୁ ୩ ଫୁଟିଆ କୁମ୍ଭୀର, ୩୨୭ ଟି ଦୁଇ ବର୍ଷିଆ ଛୁଆ ଅର୍ଥ।ତ୍ ୩ ରୁ ୬ ଫୁଟିଆକୁମ୍ଭୀର, ୧୬୭ଟି ୪ ରୁ ୫ ବର୍ଷର ଅର୍ଥାତ ୬ ରୁ ୮ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଥିଲା। ଏଥିସହ ବଡ କୁମ୍ଭୀର ଅର୍ଥ।ତ ୮ ଫୁଟରୁ ଅଧିକ ଲମ୍ବର ୩୪୮ଟି ଗଣନା ବେଳେ ଠାବ କରାଯାଇଛି ବୋଲି ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି ।