ହଲ୍ ଖୋଲିବ,ମାଲିକ ରାଜି ହେବେ ତ?
ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଖୋଲିବ ସିନେମା ହଲ । ରାଜ୍ୟସରକାର ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଏସଓପି ଆଧାରରେ ରାଜ୍ୟରେ ଖୋଲିବ ସିନେମା ହଲ । ହେଲେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ ଖୋଲିବାକୁ ସରକାର ଗାଇଡଲାଇନ ଜାରି କରିଛନ୍ତି । ଗୋଟିଏ ହଲରେ ପ୍ରାୟ ୨୦୦ ଲୋକ ବା ୫୦ ପ୍ରତିଶତ ଦର୍ଶନ ବସି ସିନେମା ଦେଖିପାରିବେ। ତେବେ ଅଧା ଦର୍ଶକଙ୍କୁ ନେଇ ହଲ ଖୋଲିବାକୁ ସିନେମା ହଲ ମାଲିକ ରାଜି ହେବେ ତ? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ମହାମାରୀ କରୋନା ପାଇଁ ଗତ ୯ ମାସ ହେବ ରାଜ୍ୟର ସମସ୍ତ ସିନେମା ହଲ ବନ୍ଦ ରହିଥିଲା । ସିନେମା ହଲରେ ଅଧିକ ଭିଡ ଜମୁଥିବାର କରୋନା ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କାରେ ସମସ୍ତ ହଲ ବନ୍ଦ କରିବାକୁ ସରକାର ନିଷ୍ପତି ନେଇଥିଲେ । ଫଳରେ ମାର୍ଚ୍ଚ ମାସରୁ ସମସ୍ତ ସିନମୋ ହଲ ବନ୍ଦ କରିଦିଆଯାଇଥିଲା । ଏବେ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । କିନ୍ତୁ ସଂକ୍ରମଣର ଭୟ ସଂପୂର୍ଣ୍ଣ ଯାଇନଥିବା ବେଳେ ଅଧା ଦର୍ଶକଙ୍କୁ ନେଇ ହଲ ଖୋଲିବାକୁ କହିଛନ୍ତି ସରକାର । ତେବେ ଗତ ୯ ମାସ ହେବ କ୍ଷତି ସହିଥିବା ସିନେମା ହଲ ମାଲିକ ଏବେ ଅଧା ଦର୍ଶକଙ୍କୁ ନେଇ ହଲ ଖୋଲିବାକୁ ରାଜି ହେବେ କି ନାହିଁ ବଡ଼ ପ୍ରଶ୍ନ ଉଠିଛି ।
କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ବ୍ରିଟେନର ନୂଆ କରୋନା ଷ୍ଟ୍ରେନର ଭୟ ମଧ୍ୟ ରହିଛି । ତେଣୁ କୋଭିଡ କଟକଣାରେ ହଲ ଖୋଲିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ଯାତ୍ରାକୁ ମଧ୍ୟ ଅନୁମତି ଦେଇଛନ୍ତି ସରକାର । ହେଲେ ଏଥିପାଇଁ ସ୍ଥାନୀୟ ପ୍ରସାସନର ଅନୁମତି ନେବାକୁ ହେବ । ମନୋରଞ୍ଜନ, ପାର୍କ ଖୋଲିବାକୁ ସ୍ଥାନୀୟ ପ୍ରଶାସନର ଅନୁମତି ଆବଶ୍ୟକ। ଧାର୍ମିକ ଏବଂ ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ମିଳିଛି ଅନୁମତି। ଏହି କାର୍ୟ୍ୟକ୍ରମରେ ୨ ଶହ ଲୋକ ଏକତ୍ରିତ ହୋଇପାରିବେ। ଏହି ସ୍ଥାନମାନଙ୍କରେ ମାସ୍କ ସହ ସାନିଟାଇଜର ବାଧ୍ୟତାମୂଳକ।