ନରାଜରେ ଉତ୍ପାଦିତ ହେବ ବୈଦ୍ୟୁତିକ ଯାନ, ଇ-ବ୍ୟାଟେରି କାରଖାନା
ଭୁବନେଶ୍ବର: କଟକର ନରାଜରେ ଉତ୍ପାଦିତ ହେବ ବୈଦ୍ୟୁତିକ ଯାନ (ଇ-ଯାନ) ଏବଂ ଏହି ଯାନ ବ୍ୟାଟେରି। ପାରାଦୀପରେ ତମ୍ବା ସ୍ମେଲଟର୍ ସହ ଲିଥିୟମ ସ୍ମେଲଟର ଏବଂ ଇ-ଯାନର ଆନୁଷଙ୍ଗିକ ଉପାଦାନ ଉତ୍ପାଦନ କମ୍ପ୍ଲେକ୍ସ ସ୍ଥାପିିତ ହେବ। ଏଥିପାଇଁ ତିନିଟି ପର୍ୟ୍ୟାୟରେ ଜେଏସ୍ଡବ୍ଲ୍ୟୁ ନରାଜ ଓ ପାରାଦୀପରେ ୪୦ହଜାର କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ଓଡ଼ିଶା ଇ-ଯାନ ଏବଂ ଯନ୍ତ୍ରାଂଶ ଉତ୍ପାଦନ କ୍ଷେତ୍ରରେ ହବ୍ ପାଲଟିଯିବ। ଏହି ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ଅନୁମୋଦନ କରିଛି। କ୍ୟାବିନେଟ୍ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଜେଏସ୍ଡବ୍ଲ୍ୟୁ ନରାଜରେ ‘୫୦ଗିଗାୱାଟ୍ ଆୱାର’ କ୍ଷମତା ବିଶିଷ୍ଟ ଏକ ଉନ୍ନତ ବୈଷୟିକ ଜ୍ଞାନ ଆଧାରିତ ବ୍ୟାଟେରି ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା କରିବ। ଏହା ବିଶ୍ବର ସର୍ବବୃହତ ଏକକ ପ୍ରକଳ୍ପ ହେବ। ସାରାବିଶ୍ବ ଏବେ ‘୫୦ଗିଗାୱାଟ୍ ଆୱାର’ ବ୍ୟାଟେରି ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ କରୁଥିବା ବେଳେ ଓଡ଼ିଶା ବିଶ୍ବର ସବୁଠୁ ବଡ଼ ପ୍ରକଳ୍ପ ନିର୍ମାଣ କରିବାକୁ ଆଗେଇ ଆସିଛି। ଦୁଇଟି ପର୍ୟ୍ୟାୟରେ ସମାନ ସୁବିଧାରେ ବୈଦ୍ୟୁତିକ ଯାନ ଓ ଉପାଦାନଗୁଡ଼ିକ ଉତ୍ପାଦନ ପାଇଁ ଏକ ଓଇଏମ୍ (ଓରିଜିନାଲ ଇକ୍ୟୁପମେଣ୍ଟ ମ୍ୟାନୁଫ୍ୟାକଚରର) କାରଖାନା ସ୍ଥାପନ କରିବାକୁ କମ୍ପାନି ଯୋଜନା କରୁଛି। ଏହି ଦୁଇଟି ପର୍ୟ୍ୟାୟରେ ଜେଏସ୍ଡବ୍ଲ୍ୟୁ ରାଜ୍ୟରେ ୨୫ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି, ଯାହା ୪ହଜାରରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ। ସେହିପରି ତୃତୀୟ ପର୍ୟ୍ୟାୟରେ ପାରାଦୀପରେ ତମ୍ବା ସ୍ମେଲଟର୍ ସହ ଲିଥିୟମ ସ୍ମେଲଟର ଏବଂ ଇ-ଯାନର ଆନୁଷଙ୍ଗିକ ଉପାଦାନ ଉତ୍ପାଦନ କମ୍ପ୍ଲେକ୍ସ ସ୍ଥାପନ କରିବାକୁ ଯୋଜନା କରିଛି। ଏହି ପର୍ୟ୍ୟାୟରେ ୭ହଜାରରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରେ ୧୫ହଜାର କୋଟି ଟଙ୍କା ବିନିଯୋଗ କରିବ। ଏହିପରି ମୋଟ୍ ୪୦ହଜାର କୋଟିର ପୁଞ୍ଜି ନିବେଶରେ ୧୧ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯୋଜନା କରିଛି।