ଭୁବନେଶ୍ୱର: କଂଗ୍ରେସ ସହ ଥିଲି, ଅଛି ଏବଂ ରହିବି । ଦଳ ଯାହା ଦାୟିତ୍ୱ ଦେବ ନିର୍ବାହ କରିବି । ମୁଁ କଂଗ୍ରେସ ବିରୁଦ୍ଧରେ ନଥିଲି, କେବେ ଦଳ ବିରୁଦ୍ଧରେ ମୁହଁ ଖୋଲିନଥିଲି । ଆଜି ନିଲମ୍ବନ ହଟିବା ପରେ ଏଭଳି କହିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ।
ସୂଚନାଯୋଗ୍ୟ ଯେ, ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ଉଠିଲା ନିଲମ୍ବନ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ହଟିଲା । ସେହିଭଳି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ମଧ୍ୟ ଦଲ ନିଲମ୍ବନ ହଟାଇଲା । ତେବେ ଉଭୟଙ୍କ ନିଲମ୍ବନ ହଟିବା ନେଇ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି । ସେପଟେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ଦଳକୁ ଫେରିଛନ୍ତି ।
୨୦୨୩ ମସିହା ଜୁଲାଇ ମାସ ୧୫ ତାରିଖରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ ସସପେଣ୍ଡ କରିଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗରେ ଦଳ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିବା ଏଆଇସିସି ପ୍ରେସ୍ ରିଲିଜରେ ସୂଚନା ଦେଇଥିଲା । ଦଳ ବିରୋଧୀ କାର୍ୟ୍ୟ ପାଇଁ ଉଭୟଙ୍କ ବିରୋଧରେ ଏହି ଆକ୍ସନ ନିଆଯାଇଥିଲା ।ସୂଚନା ଭବନରେ ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକ କାର୍ୟ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ହୋଇଥିଲା ବିବାଦ । ଖୋଲା ମଞ୍ଚରେ ୨ ନେତା ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ । ରାଜ୍ୟ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଥିଲେ ।