ଭାରତରେ ଅକ୍ସଫୋର୍ଡ ଟିକାକୁ ଅନୁମତି
ନୂଆବର୍ଷରେ ଭଲ ଖବର । କରୋନାର ନୂଆ ଷ୍ଟ୍ରେନ ଭିତରେ ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି । ଅକ୍ସଫୋର୍ଡ କୋଭସିଲ୍ଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଏକ୍ସପର୍ଟ କମିଟି ।
ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ପରେ ଅକ୍ସଫୋର୍ଡ ଟିକାକୁ ଭାରତରେ ଅନୁମତି ମିଳିଛି । ସବଜେକ୍ଟ ଏକ୍ସପର୍ଟ କମିଟିର ସୁପାରିସ୍ ଅନୁଯାୟୀ ଅକ୍ସଫୋର୍ଡ ଟିକାକୁ ଅନୁମତି ଦେଇଛନ୍ତି ଡିସିଜିଆଇ । ଅକ୍ସଫୋର୍ଡର ଏହି ଟିକାକୁ ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିଲା । ଦୀର୍ଘ ଦିନର ପରୀକ୍ଷା ନୀରିକ୍ଷା ପରେ ଏହି ସଫଳତା ମିଳିଛି । ଏହା ସହ କରୋନା ବିରୋଧରେ ଲଢିବା ପାଇଁ ଦେଶ ଆଉ ପାଦେ ଆଗେଇଛି । ପ୍ରଥମ କୋଭିଡ ଟିକା ଭାବେ ଦେଶରେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ନିର୍ମିତ ଟିକାକୁ ଅନୁମତି ଦିଆଯାଇଛି । ବ୍ରିଟେନ୍ ଓ ଆର୍ଜେଣ୍ଟିନା ପରେ ତୃତୀୟ ଦେଶ ଭାବେ ଭାରତ କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛି ।
ଭାରତରେ ଏହି ଟିକା ପ୍ରସ୍ତୁତ କରୁଥିବା ସିରମ ଇନଷ୍ଟିଚ୍ୟୁଟ ୫ କୋଟି ଟିକା ପ୍ରସ୍ତୁତ ହୋଇ ଗଚ୍ଛିତ ରଖିଛି ବୋଲି ତଥ୍ୟ ମିଳିଛି । ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ବାଲା କହିଛନ୍ତି ଯେ ଭାରତ ସରକାରଙ୍କ ପାଇଁ କୋଭିସିଲ୍ଡ ଟିକାର ମୂଲ୍ୟ ୩ ଡଲାର ରହିବ । ପରିବହନ ଖର୍ଚ୍ଚ ମିଶାଇଲେ ଏହାର ମୂଲ୍ୟ ବ୍ୟକ୍ତି ପିଛା ୬ ଡଲାର ୯୪୪୦ ଟଙ୍କା) ହେବ । ତେବେ ଘରୋଇ ବଜାରରେ ଏହାର ମୂଲ୍ୟ ୭୦୦-୮୦୦ ଟଙ୍କା ରହିବ ।