୬୪୦୦ କୋଟି ନିବେଶ, ୩୬୬୭ ନିଯୁକ୍ତି
ରାଜ୍ୟ ସରକାର ପ୍ରାୟ ୬୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ୫୩୫୮ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଥିବାବେଳେ ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ପ୍ରାୟ ୧ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୫ ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ୫୩୫୮ କୋଟି ଟଙ୍କା ମୂଲ୍ୟର ୩ଟି ଶିଳ୍ପ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ଏହି ଶିଳ୍ପଗୁଡ଼ିକ ମୁଖ୍ୟତଃ ଧାତୁ, ସିମେଣ୍ଟ ଓ ପେଟ୍ରୋକେମିକାଲ କ୍ଷେତ୍ର ସଂପର୍କିତ । ଏହି ୩ଟି ପ୍ରକଳ୍ପ ଦ୍ବାରା ରାଜ୍ୟରେ ପ୍ରାୟ ୩୬୬୭ ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟିରେ ୧୦୮୫ କୋଟି ଟଙ୍କା ମୂଲ୍ୟର ୫ଟି ଶିଳ୍ପ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ଏହି ୫ଟି ପ୍ରକଳ୍ପ ଦ୍ବାରା ରାଜ୍ୟରେ ପ୍ରାୟ ୯୬୪ ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଦେଶରେ କରୋନା ମହାମାରୀ ଚାଲିଥିବା ସତ୍ତ୍ବେ ଓଡ଼ିଶା ପୁଞ୍ଜି ଆକୃଷ୍ଟ କରିଚାଲିଛି । ଗତ ଫେବ୍ରୁଆରି ମାସପରଠାରୁ ଓଡ଼ିଶା ସରକାର ପ୍ରାୟ ୧ ଲକ୍ଷ ୧୯ ହଜାର କୋଟିର ପୁଞ୍ଜି ନିବେଶ ଆକୃଷ୍ଟ କରିସାରିଛନ୍ତି ।