ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ!
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ । ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ନବୀନ ନିବାସକୁ ଏକ ବେନାମୀ ଚିଠି ଆସି ପହଚିଂଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ହୋଇଥିବା ଉଲ୍ଲେଖ ରହିଛି । ଏହା ପରେ ରାଜ୍ୟ ପ୍ରଶାସନ ବିଭାଗ ତତ୍ପର ହୋଇ ଉଠିଛି । ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ବୀନ ନିବାସ ଠାରୁ ଆରମ୍ଭ କରି ଲୋକସେବା ଭବନ, ଏପରିକି ସମସ୍ତ ଗସ୍ତ ଓ କାର୍ୟ୍ୟକ୍ରମ ସମୟରେ ନବୀନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପୋଲିସ ବିଭାଗ, ଗୁଇନ୍ଦା ଓ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଚିଠିଟି ପ୍ରକୃତରେ କେଉଁଠାରୁ ଆସିଛି, କିଏ ଲେଖିଛି ଓ ଏଥିରେ ଲେଖାଥିବା କଥାର ସତ୍ୟତା ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି।
ବେନାମୀ ଚିଠି ଆସି ପହଚିଂବା ପରେ ନବୀନଙ୍କ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କିଛି ସୁପର କିଲର ସୁପାରି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ୟ୍ୟାଳୟକୁ ଆସିଥିବା ଅଜଣା ଚିଠିରେ ଷଡଯନ୍ତ୍ରର ସାଂଘାତିକ ଘଟଣା ଉଲ୍ଲେଖ କରାଯାଇଛି । ସବୁଠୁ ବଡ କଥା ହେଉଛି, ଏହି ସୁପାରିକିଲରଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଯେକୌଣସି ମୁହୂର୍ତ୍ତରେ ଏହି ସୁପାରୀକିଲର ମାନେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିପାରନ୍ତି ବୋଲି ବେନାମୀ ଚିଠିରେ ଉଲ୍ଲେଖ ରହିଛି । ଏହି ଅପରାଧୀ ମାନେ କାରରେ ମୁଖ୍ୟମନ୍ତ୍ରୀଙ୍କୁ ଲଗାତାର ଅନୁସରଣ କରୁଛନ୍ତି । ଏପରିକି ୧୭ଟି କାରର ନମ୍ବର ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।
ବେନାମୀ ଚିଠିକୁ ନେଇ ପୂରା ଶାସନକଳ ତତ୍ପର ହୋଇ ଉଠିଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତୁରନ୍ତ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନବୀନ ନିବାସ ଚାରିପଟ, ଲୋକସେବା ଭବନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଯାତାୟତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।