‘ମଡର୍ନା’କୁ ମଞ୍ଜୁରୀ
ତୃତୀୟ କରୋନା ଟିକା ଭାବେ ‘ମଡର୍ନା’କୁ ବ୍ରିଟେନରେ ମଞ୍ଜୁରୀ । ଫାଇଜର, ଅକ୍ସଫୋର୍ଡ ପରେ ତୃତୀୟ କରୋନା ଟିକା ଭାବେ ବ୍ରିଟେନରେ ମଡର୍ନାକୁ ଅନୁମତି ମିଳିଛି । ରୋନାର ନୂଆ ଷ୍ଟ୍ରେନ୍ ଇଂଲଣ୍ଡରେ ଆତଙ୍କ ଖେଳାଇ ଦେଇଥିବା ବେଳେ ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ମଡର୍ନା ଟିକାର ୭୦ ଲକ୍ଷ ଡୋଜ୍ ଯୋଗାଇ ଦେବା ପାଇଁ ପୂର୍ବରୁ କଂପାନୀକୁ ଅର୍ଡର ଦେଇଥିଲେ ବ୍ରିିଟେନ୍ ସରକାର ।
ଆମେରିକା କଂପାନୀ ମଡର୍ନା ପ୍ରସ୍ତୁତ କରିଥିବା ମଡର୍ନା ଟିକାକୁ ୩୦ ହଜାର ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି । କୋଭିଡ ମୁକାବିଲାରେ ଏହା ୯୪ରୁ ୯୫ ପ୍ରତିଶତ ଫଳପ୍ରଦ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦ୍ୱିତୀୟ ଡୋଜ୍ର ୧୪ ଦିନ ପରେ ଏହା ଶରୀରରେ ଆଂଟିବଡି ବା ରୋଗ ପ୍ରତିରୋଧ ଶକ୍ତି ତିଆରି କରିଥାଏ ।
ଇଂଲଣ୍ଡରେ ପ୍ରାୟ ୧୫ ଲକ୍ଷ ଲୋକଙ୍କୁ ଫାଇଜର ଟିକାର ଗୋଟିଏ ଡୋଜ୍ ଦିଆଯାଇଛି । ତେବେ ଫାଇଜର ଟିକା ପାଇଁ ମାଇନସ୍ ୭୦ ଡିଗ୍ରୀ ତାପମାତ୍ରା ଆବଶ୍ୟକ ହେଉଥିବାରୁ ବ୍ୟାପକ ଟିକାକରଣରେ ସମସ୍ୟା ସୃଷ୍ଟି ହେଉଛି । ସାଧାରଣ ଫ୍ରିଜ୍ ତାପମାତ୍ରାରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଗଚ୍ଛିତ ରଖିବା ଓ ପରିବହନ ସହଜ ହୋଇଥିବାରୁ ଏହା ଉପରେ ନିର୍ଭରଶୀଳତା ବଢ଼ିଯାଇଛି । ତେଣୁ ତୃତୀୟ ଟିକା ଭାବେ ମଡର୍ନାକୁ ବ୍ୟବହାର କରିବା ପାଇଁ ଅନୁମତି ଦେଇଛି ବ୍ରିିଟେନ୍ ।