THE BYAPINI

ପୂର୍ତ୍ତ ବିଭାଗରେ ପୁଳା ପୁଳା ପାଠକ !

Get real time updates directly on you device, subscribe now.

ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ବେନାମୀ ସମ୍ପତ୍ତି ଦେଖି ସାରା ଓଡିଶା ତାଜୁବ ହୋଇଯାଇଥିବା ବେଳେ ରାଜ୍ୟ ସରକାରଙ୍କ ସବୁଠାରୁ ଦୁଧିଆଳୀ ପୂର୍ତ୍ତ ବିଭାଗରେ କିନ୍ତୁ ଦୁର୍ନୀତି ଥମୁନି । ପାଠକଙ୍କ ଭଳି ଶହ ଶହ ଅଧିକାରୀ ଏହି ବିଭାଗକୁ ଦୀର୍ଘ ଦିନ ଧରି ଲୁଟୁଥିବା ସୂଚନା ବ୍ୟାପୀନିର ହସ୍ତଗତ ହୋଇଛି । ଯାହାକୁ ଆମେ ପର୍ୟ୍ୟାୟକ୍ରମେ ଲୋକ ଲୋଚନକୁ ଆଣିବୁ । କିଛି ଦିନ ତଳେ ଭିଜିଲାନ୍ସ ଜାଲରେ ପଡିଥିବା ଜଣେ କିରାଣୀଙ୍କର କୋଟି କୋଟି ଟଙ୍କା ସମ୍ପତ୍ତି ଦେଖିବା ପରେ ଲାଗୁଛି ଏହି ବିଭାଗର ବାବୁମାନେ କେମିତି ହରିଲୁଟ କରୁନଥିବେ । ପୂର୍ତ୍ତ ବିଭାଗର ଧୁର୍ତ୍ତ ଅଫିସର କୁହାଯାଉଥିବା ପୂର୍ବତନ ସଚିବ ନଳୀନି ପ୍ରଧାନଙ୍କ ସମୟରେ ହୋଇଥିବା ଅନିୟମିତତା ସରକାର ଜାଣିବା ପରେ ଏବେ ଆଇଏଏସ କ୍ରିଷନ କୁମାରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । କିନ୍ତୁ ବ୍ୟାପୀନିକୁ ମିଳିଥିବା ସୂଚନା ଅନୁସାରେ ଜାଲିଆତିର ଚେର ଏତେ ଲମ୍ବା ଯେ ତାକୁ ଖୋଜିପାଇବା କ୍ରିଷନ କୁମାରଙ୍କ ପାଇଁ କାଠିକର ପାଠ ହେଇଗଲାଣି । ଗତ ଦଶ ବର୍ଷକୁ ହିସାବ କଲେ ଜାତମୁଣ୍ଡିଆ ପୋଲଠାରୁ ଆରମ୍ଭ କରି ବମିଖାଲ ପର୍ୟ୍ୟନ୍ତ ସବୁ କାମରେ ଅପାରଗତା ଓ ଦୁର୍ନୀତି ଜଳଜଳ ହେଇ ଦେଖାଯାଉଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ବହୁ ଆକାଂକ୍ଷିତ ପ୍ରକଳ୍ପ, ସ୍ୱାଭିମାନ ଅଂଚଳର ଗୁରୁପ୍ରିୟା ବ୍ରିଜ ମଧ୍ୟ ଭୁଶୁଡିବାର ଅପବାଦ ମୁଣ୍ଡାଇଥିଲା । କେବଳ କଣ୍ଟ୍ରାକ୍ଟର ଓ କିଛି ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳି ଏହି ବିଭାଗର ବଡ ମୁଣ୍ଡିଆଳ ମାନେ ଖସିଯାଛନ୍ତି ।

ରାଜଧାନୀ ଛାତି ଉପରେ ଥିବା ବମିଖାଲ ରେଲୱେ ଓଭରବ୍ରିଜ ହେଉଛି ଏହାର ଏକ ନଗ୍ନ ଉଦାହରଣ । ପୃଥିବୀରେ ସମସ୍ତ ବ୍ରିଜକୁ ଅନୁଧ୍ୟାନ କଲେ ଏହା ବିରଳତମ ବୋଲି କୁହାଯାଇପାରିବ । ଗଠନ ଶୈଳୀ, ପ୍ରକ୍ରିୟା ଓ ଉଦ୍ଦେଶ୍ୟକୁ ଦେଖିଲେ ଇଂଜିନିୟରିଂର ସମସ୍ତ ପାଠ ମଧ୍ୟ ଏହି ପୋଲ ଆଗରେ ହାର ମାନିବେ । ତତ୍କାଳୀନ ପୂର୍ତ୍ତ ସଚିବ ଶୁଭେନ୍ଦୁ ରାୟ ଓ ମୁଖ୍ୟଯନ୍ତ୍ରୀ ବିଜନ ବେହେରାଙ୍କ ଦ୍ଵାରା ଟେଣ୍ଡର ଡକାଯାଇଥିବା ଏହି ଉନ୍ନତିମୂଳକ ପ୍ରକଳ୍ପର ଆଢୁଆଳରେ ମୂଳରୁ ହିଁ ବ୍ୟାପକ ଦୁର୍ନୀତି ପାଇଁ ନକ୍ସା ତିଆରି କରାଯାଇଥିଲା । ବାରମ୍ବାର ପ୍ଲାନିଂ ବଦଳେଇବା, ଠିକା ସଂସ୍ଥାକୁ ସମ୍ପୂର୍ଣ ପ୍ଲାନ ବଦଳରେ ପର୍ୟ୍ୟାୟକ୍ରମେ ଧୀରେ ଧୀରେ ପ୍ଲାନ ଦେବା ପଛରେ ଏହି ଦୁଇ ଅଫିସରଙ୍କ ମହତ ଉଦ୍ଦେଶ୍ୟ ନଥିଲା ବୋଲି ସ୍ପଷ୍ଟ ବାରିହେଉଥିଲା । ଆଉ ଠିକ ମଝିରେ ଏହି ଦୁଇ ଅଧିକାରୀ ବଦଳି ହୋଇଯାଇଥିଲେ । କିନ୍ତୁ ଏହାପରେ ଆସିଥିବା ଅଫିସର ଥିଲେ ଆହୁରି ଭୟଙ୍କର । ନିଜର କିଛି ରାଜନୈତିକ ଲିଙ୍କକୁ ଉପଯୋଗ କରି ଉପରିସ୍ଥ ୨୨ଜଣ ଅଧିକାରୀଙ୍କୁ ପଛରେ ପକାଇ ସଚିବ ହୋଇପାରିଥିବା ନଳୀନି ପ୍ରଧାନ ଓ ମୁଖ୍ୟଯନ୍ତ୍ରୀ ଓମ ପ୍ରକାଶ ପଟେଲ ସମଗ୍ର ରାଜ୍ୟରେ ଚାଲିଥିବା ଉନ୍ନୟନମୂଳକ କାମରେ ମିଳିତ ଭାବେ ଆରମ୍ଭ କରିଦେଇଥିଲେ ଦୁର୍ନୀତିର ଷଡଯନ୍ତ୍ର ।

ସାଧାରଣ ଲୋକ ଜଣେ ନିରିଖେଇ ଦେଖିଲେ ମଧ୍ୟ ବମୀଖାଲ ପୋଲର ଦୁର୍ନୀତି ବିଷୟରେ ଜାଣିପାରିବ । ରେଳ ଧାରଣା ଉପରେ ନିର୍ମିତ ଅଂଶ ରେଳବାଇ ନିର୍ଦ୍ଧାରିତ ଚଉଡା କରିଥିବା ବେଳେ ପୂର୍ତ୍ତ ବିଭାଗ କରିଥିବା ଅଂଶ କାହିଁକି ଅଣଓସାରିଆ ହେଇଛି ତାର ଉତ୍ତର କାହା ପାଖରେ ନାହିଁ । ଦୁଇଟି ଅଂଶ ଭିତରେ ଚଉଡାରେ ପାଖାପାଖି ୭ ଫୁଟର ବ୍ୟବଧାନ ରହିଛି । ପୃଥିବୀରେ ବୋଧହୁଏ ବମିଖାଲ ଏକମାତ୍ର ରେଲୱେ ଓଭରବ୍ରିଜ ଯାହାର ପାଦଚଲା ବାଟ ବା ଫୁଟପାଥ ନାହିଁ । ଏମିତି ଉଦ୍ଦେଶ୍ୟ ରଖି ଏହି ବ୍ରିଜ କରାଯାଇଛି ଲୋକ ଏବେ ବି ବୁଝିପାରୁନାହାନ୍ତି କେଉଁପଟେ ଯିବେ ଆଉ କେଉଁପଟେ ଆସିବେ । ଚର୍ଚ୍ଚା ଅନୁସାରେ ମୂଳ ଡିଜାଇନରେ ବାରମ୍ବାର ପରିବର୍ତ୍ତନ, ବ୍ୟୟ ଲକ୍ଷ୍ୟକୁ ବଢ଼ାଇ ବଢ଼ାଇ କେବଳ ହରିଲୂଟ କରିଛନ୍ତି ଦାୟିତ୍ୱରେ ଥିବା ଅଫିସର । ଆଉ ଯେତେବେଳେ ଦୁର୍ଘଟଣା ଘଟିଛି କଣ୍ଟ୍ରାକ୍ଟର ଓ ତଳତଳିଆଙ୍କୁ ଜେଲ ପଠେଇ ନିଜେ ଝାଡ଼ିଝୁଡ଼ି ହେଇ ପଡିଛନ୍ତି ।

କୁହାଗଲା, ବମିଖାଲ ଦୁର୍ଘଟଣା ପାଇଁ ତତ୍କାଳୀନ ସଚିବ ନଳୀନି ପ୍ରଧାନଙ୍କ ଅନୁରୋଧରେ କଣ୍ଟ୍ରାକ୍ଟର ଜେଲ ଗଲେ, କିନ୍ତୁ ଚତୁର ନଳୀନି କିନ୍ତୁ କଣ୍ଟ୍ରାକ୍ଟରଙ୍କ ହାତ ଛାଡି ତାଙ୍କୁ ନଜାଣିଥିବା ଅଭିନୟ ଆରମ୍ଭ କରିଦେଲେ । ଆଉ ଅନ୍ୟ ଏକ ଠିକାଦାରୀ ସଂସ୍ଥା ରାଜଲଷ୍ମୀ ସହ ସଲାସୁତୁରା କରିଦେଲେ । ଏବେ ମଧ୍ୟ ରାଜଲଷ୍ମୀ କଂଷ୍ଟ୍ରକସନ ଜରିଆରେ ନଳୀନି ପ୍ରଧାନ ତାଙ୍କ କଳାଧନକୁ ଧଳା କରିବାପାଇଁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି । ନଳୀନି, ରାଜଲଷ୍ମୀକୁ ଅହେତୁକ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କାର ଟେଣ୍ଡର ଦେଇଛନ୍ତି ବୋଲି ରାଜ୍ୟର ଜଣେ ବରିଷ୍ଠ କଣ୍ଟ୍ରାକ୍ଟର କହିଛନ୍ତି । କିଛି ରାଜନେତାଙ୍କ ସହ ଅନୈତିକ ମେଣ୍ଟ କରି ନଳୀନି ସାଧାରଣ ଲୋକଙ୍କ ଟଙ୍କାକୁ ଚଳୁ କରିଥିବା ଜଣାପଡ଼ିଛି । ଏପରିକି ବିଜୁ ଜନତା ଦଳରୁ ଗତ ସାଧାରଣ ନିର୍ବାଚନରେ ସାଂସଦ ପ୍ରାର୍ଥୀ ମଧ୍ୟ ହୋଇଗଲେ । କିନ୍ତୁ ନିଜ ଚାକିରୀ ଆରମ୍ଭ ସେହି ସ୍ଥାନରୁ କରିଥିବାରୁ ଓ ସମ୍ବଲପୁର ଲୋକ ତାଙ୍କୁ ହାଡ଼େ ହାଡ଼େ ଚିହ୍ନିଥିବାରୁ ଉପଯୁକ୍ତ ନିର୍ଣ୍ଣୟ ନେବାକୁ ପଛେଇଲେନି ।

ଜନତାଙ୍କ ଉନ୍ନତି ଆଳରେ ନଳୀନି ଯେତିକି ଲୋକଙ୍କ ଟିକସ ପଇସା ହଡପ କରିଥିଲେ, ତାର ସୁଧମୂଳ କରି ସୁଝେଇଦେଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ହାତେଇବାକୁ ଉଦ୍ୟମ କରି ହତାଶ ହେବାପରେ ଦଳ ଛାଡିବା ପାଇଁ ନିଜର କିଛି ଅନୁଗତଙ୍କ ସହ ବିଚାର ବିମର୍ଷ ଚଳେଇଥିଲେ କରିତକର୍ମା ପ୍ରଧାନ । ଏପରିକି ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲା ନାଁରେ ଗୋଇବାକୁ ମଧ୍ୟ ପଛେଇନଥିଲେ । କିନ୍ତୁ ସେ କରିଥିବା କଳା କାରନାମାର ଚିଠା ସରକାରଙ୍କ ହାତରେ ଲାଗିଥିବା ଜାଣିବା ପରେ ଦ୍ଵନ୍ଦରେ ପଡିଛନ୍ତି ନଳୀନି । ସରକାର ଯଦି ଆନ୍ତରିକତାର ସହ ତଦନ୍ତ କରନ୍ତି ତେବେ ଭିଜିଲାନ୍ସ ଇତିହାସରେ ପାଠକଙ୍କ ରେକର୍ଡ ପ୍ରଧାନ ଭାଙ୍ଗିଦେବେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.