ସ୍ଥଗିତ ରହିବ କୃଷି ଆଇନ?
ନୂଆ କୃଷି ଆଇନ ନେଇ ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ସ୍ଥଗିତ ରଖନ୍ତୁ, ନହେଲେ ନିଜେ ସୁପ୍ରିମକୋର୍ଟ ଏନେଇ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି । ସୁପ୍ରିମକୋର୍ଟ ଚାଷୀଙ୍କ ଆନ୍ଦୋଳନ ସହ ଜଡିତ ବିଭିନ୍ନ ଆବେଦନର ଶୁଣାଣି କରିଛନ୍ତି । ଶୁଣାଣି ବେଳେ ସରକାରଙ୍କ ଉପରେ ବର୍ଷିଛନ୍ତି କୋର୍ଟ । କହିଛନ୍ତି ଆନ୍ଦୋଳନ ବେଳେ କୃଷକଙ୍କ ଜୀବନ ଯାଉଛି । ସରକାର ଏବେ ଆଇନ ଉପରେ ରୋକ୍ ଲଗାନ୍ତୁ ନହେଲେ ଅଦାଲତ ନିର୍ଦ୍ଦେଶ ଜାରି କରିବେ ।
କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ସୁପ୍ରିମକୋର୍ଟ କହିଛନ୍ତି, ଏତେ ଦିନ ଯାଏଁ ଉଭୟ କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ବାରମ୍ବାର ବୈଠକ ହେଉଥିଲେ ବି କୌଣସି ବାଟ ବାହାରି ପାରିଲା ନାହିଁ ଏବଂ ପରିସ୍ଥିତି ଧିରେ ଧିରେ ବିଗିଡିବାରେ ଲାଗିଛି । ତେଣୁ ସରକାର କୃଷି ଆଇନକୁ ସ୍ଥଗିତ ରଖି ଏକ କମିଟି ଗଠନ କରନ୍ତୁ ଏବଂ ସମାଧାନର ବାଟ ବାହାର କରନ୍ତୁ । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କହିଛନ୍ତି, ଆଇନ୍ ସମ୍ବିଧାନ ବିରୋଧୀ ନହେଲେ ସୁପ୍ରିମକୋର୍ଟ ଏହାକୁ ସ୍ଥଗିତ ରଖିପାରିବେ ନାହିଁ ।
କୋର୍ଟ ଆହୁରି କହିଥିଲେ ଯେ, ଲୋକମାନେ ଥଣ୍ଡାରେ ବସୁଛନ୍ତି, ସେମାନଙ୍କ ଜୀବନ ଯାଉଛି । ମହିଳା ଓ ବୟସ୍କମାନେ ମଧ୍ୟ ଧାରଣା ଦେଉଛନ୍ତି । କୋର୍ଟ ବିଶେଷଜ୍ଞ କମିଟି ଗଠନ କରିବାକୁ ଚାହୁଁଛନ୍ତି । ସରକାର ଯେପରି ଭାବେ ଆନ୍ଦୋଳନକୁ ଗ୍ରହଣ କରିଛନ୍ତି ତାହା ଠିକ୍ ନୁହେଁ । ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପ ଉପରେ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ସେହିପରି ସରକାର ସମସ୍ୟାର ଅଂଶବିଶେଷ ନା ସମାଧାନର ବୋଲି ଜଣା ପଡୁନାହିଁ ବୋଲି କହି କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଆସନ୍ତା ୧୫ରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନବମ ପର୍ୟ୍ୟାୟ ଆଲୋଚନା ହେବାକୁ ଯାଉଛି। ଜାନୁଆରୀ ୮ ତାରିଖରେ ଅଷ୍ଟମ ଥର ପାଇଁ ହୋଇଥିବା ବୈଠକ ବିଫଳ ରହିଥିଲା। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଥିଲେ କେନ୍ଦ୍ର ସରକାର ।