THE BYAPINI

ପରୀ ମାମଲା : ପ୍ରାୟଶ୍ଚିତ କରିବ କି ବିଜେପି?

Get real time updates directly on you device, subscribe now.

ପରୀ ମାମଲାରେ ରାଜରାସ୍ତାକୁ ଓହ୍ଲାଇ, ପଦଯାତ୍ରା କରି ରାଜନୈତିକ ମାହୋଲ ସୃଷ୍ଟି କରିଥିବା ବିଜେପି ନିଜର ଏହି କାର୍ଯ୍ୟକଳାପ ପାଇଁ ନିନ୍ଦିତ ହେବା ସହ ଆତ୍ମସମୀକ୍ଷା କରିବା ଆବଶ୍ୟକ । ଜଣଙ୍କର ମୃତ୍ୟୁରେ ରାଜନୈତିକ ସଫଳତା ଖୋଜୁଥିବା ଏହି ଦଳ କେତେ ନିମ୍ନସ୍ତରର ରାଜନୈତିକ ସ୍ଥିତି ସୃଷ୍ଟି କରିପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛି ପରୀ ମାମଲା । ଆରମ୍ଭରୁ ଏସଆଇଟି ତଦନ୍ତ ଆଉ ଏହାର ମୁଖ୍ୟଙ୍କୁ ନେଇ ଦେଇ ଆସୁଥିବା ଟିପ୍ପଣୀ ଆଉ ସିବିଆଇ ତଦନ୍ତ ପାଇଁ ସୃଷ୍ଟି କରୁଥିବା ମାହୋଲକୁ ଜୋରଦାର ଧକ୍କା ଲାଗିଲା ଯେତେବେଳେ ମାମଲାର ଶୁଣାଣି କରୁଥିବା ହାଇକୋର୍ଟ ସ୍ପଷ୍ଟ ଭାବେ କହିଦେଲେ ଏସଆଇଟି ତଦନ୍ତର ଅଗ୍ରଗତିକୁ ନେଇ ସେମାନେ ସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ପୁର୍ବରୁ ହାଇକୋର୍ଟ ଯେତେବେଳେ ଏସଆଇଟି ତଦନ୍ତକୁ ନେଇ ନିଜର ଅସନ୍ତୋଷ ଜାହିର କରୁଥିଲେ, ସେତେବେଳେ ଗଣମାଧ୍ୟମ ସାମ୍ନାକୁ ଆସି ବୟାନ ରଖୁଥିବା ନେତା କଣ ଏବେ ମୁହଁ ଲୁଚାଇବେ କି? ନା ନିଜର ଭୁଲ ପାଇଁ ରାଜ୍ୟବାସୀଙ୍କ ସାମ୍ନାରେ କ୍ଷମା ପ୍ରାର୍ଥନା କରିବେ? ବଡ କଥା ହେଉଛି, ପ୍ରଥମ ଥର ଶୁଣାଣି ବେଳେ ହାଇକୋର୍ଟ କହିଥିଲେ ସିଲ୍ କଭରରେ ଏସଆଇଟି ଦେଇଥିବା ତଥ୍ୟ ଦୋଷୀ ଚିହ୍ନଟ ପାଇଁ ଯଥେଷ୍ଟ ନଥିଲା । ବାସ୍ ଏଇ କେଇପଦ କଥା ସେତେବେଳେ ବଡ ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା । ବିଜେପି ଠାରୁ ଆରମ୍ଭ କରି ଏହି ଦଳକୁ ସମର୍ଥନ କରୁଥିବା କିଛି ଚ୍ୟାନେଲ ଏବଂ ପୋର୍ଟାଲ ରଡି ଛାଡିଥିଲେ ଏସଆଇଟି ତଦନ୍ତ ବାଟବଣା ହୋଇଗଲା । ଦୋଷୀକୁ ବଂଚାଇବାକୁ ଯାଇ ଏଭଳି ମନଗଢା କାହାଣୀ ରଚାଯାଇଛି । ଏମିତି କେତେ କଣ ଯୁକ୍ତି ସମସ୍ତଙ୍କ ସାମ୍ନାରେ ଗଳାଫଟାଇ କିଛି ଆଙ୍କର ରଖିଥିଲେ । ଆଉ ଏସବୁକୁ ସମର୍ଥନ ଦେଉଥିଲେ ବିଜେପିର କିଛି ନେତା ଯେଉଁମାନେ ଥରେ ବି ନିର୍ବାଚନ ଜିତିବା ଦୁରରେ ଥାଉ ଲଢିବାର ବି ସୁଯୋଗ ପାଇନାହାନ୍ତି ।

ଏହା କହିବା ଉଦ୍ଦେଶ୍ୟ ହେଉଛି, ଜଣଙ୍କର ମୃତ୍ୟୁକୁ ନେଇ ରାଜନୀତିର ରୁଟି ସେକିବା କିଛି ଆବଶ୍ୟକ ନାହିଁ । ଯଦି ସେତେବେଳେ ହାଇକୋର୍ଟଙ୍କ ଟିପ୍ପଣୀ ଆଧାରରେ ଅନେକ ନକରାତ୍ମକ ଆଭିମୁଖ୍ୟ ନେତା ଦେଖାଉଥିଲେ ଏବେ ହାଇକୋର୍ଟ ରଖିଥିବା ଟିପ୍ପଣୀ ଉପରେ ସମର୍ଥନ ଦେବା ପାଇଁ ସେହି ନେତା ମାନେ କାହିଁକି ସାମ୍ନାକୁ ଆସୁନାହାନ୍ତି? ବଡ କଥା ହେଉଛି ନେତାଙ୍କ ନୀତି ଅଲଗା । ଯେତେବେଳେ ସୁହାଇବ ସେତେବେଳେ ବଡ ପାଟିରେ ବୟାନ ଦେବେ ଆଉ ଯେତେବେଳେ ସୁହାଇବ ନାହିଁ ସେତେବେଳେ ମୁହଁ ଲୁଚାଇ ବୁଲିବେ । ଏମିତି ଅନେକ ନଜିର ଅତୀତରେ ରହିଛି ଏହା କିଛି ନୁଆ କଥା ନୁହେଁ ।

ପରୀ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ତୃତୀୟ ସପ୍ତାହରେ ହେବ । ହାଇକୋର୍ଟ କହିଛନ୍ତି ମାମଲାରେ ଏସଆଇଟିର ତଦନ୍ତ ସନ୍ତୋଷଜନକ ରହିଛି । ବିଜେପି ନେତା ଏହି ଅର୍ଡର କପିକୁ ପଢି ପୁଣି ନିଜ ଆଭିମୁଖ୍ୟ ବଦଳାଇବାର ଆବଶ୍ୟକତା ରହୁଛି, ନଚେତ ଯେତେବେଳେ ଭୋଟ ମାଗିବା ପାଇଁ ନେତା ଗାଁ ଗଣ୍ଡାକୁ ଯିବେ ସେତେବେଳେ ଜନତା ପ୍ରଶ୍ନ କରିବେ – ମିଛ କହୁଥିବା ଦଳକୁ ଆମେ ଭୋଟ କଣପାଇଁ ଦେବୁ?

Get real time updates directly on you device, subscribe now.

Leave A Reply

Your email address will not be published.