ଛୋଟ ପିଲା ନେଇପାରିବେ କି ଟିକା?
ଜାନୁଆରୀ ୧୬ ଅର୍ଥାତ ଶନିବାରଠୁ ଦେଶରେ ସମୂହ ଟିକାକରଣ ଆରମ୍ଭ ହେଉଛି । ତେବେ ଟିକା କେତେ ବୟସର ପିଲା ନେଇପାରିବେ ? ଛୋଟ ପିଲା ଏହି ଟିକା ନେଇପାରିବେ କି? ଏଭଳି ଅନେକ ପ୍ରଶ୍ନ ଉଠିଥିବା ବେଳେ କୋଭାକ୍ସିନ ଟିକା ଆଣିଥିବା ଭାରତ ବାୟୋଟେକ କହିଛି ୨ ରୁ ୧୨ ବର୍ଷ ମଧ୍ୟରେ ପିଲା ନେଇପାରିବେ କୋଭାକ୍ସିନ ଟିକା । ପିଲାଙ୍କ ପାଇଁ ଏହା ସଂପୂର୍ଣ୍ଣ ନିରାପଦ ।
୨ରୁ ୧୨ ବର୍ଷ ପିଲାଙ୍କ କ୍ଷେତ୍ରରେ କୋଭାକସିନ ଟିକା ପ୍ରୟୋଗ କରାଯାଇପାରିବ । ଏଥିରେ କୌଣସି ଅସୁବିଧା ନାହିଁ । ଭାରତ ବାୟୋଟେକ ସିଏମଡି ଡକ୍ଟର କ୍ରିଷ୍ଣା ଇଲା ଏହି ସୂଚନା ଦେଇଛନ୍ତି । ୧୦ ଦିନ ମଧ୍ୟରେ ଛୋଟ ଛୋଟ ମାନବ ପରୀକ୍ଷଣ ମଧ୍ୟ କରାଯିବ । ବିନା କୌଣସି ଦ୍ୱିଧାରେ ଏହି ଟିକା ଛୋଟ ପିଲାମାନଙ୍କୁ ଦିଆଯାଇପାରିବ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି । ଏନେଇ ଡିସିଜିଆଇକୁ ଏକ ପ୍ରସ୍ତାବ ଦିଆଯିବ ଏବଂ ଏକ୍ସପର୍ଟ କମିଟିର ଅନୁଧ୍ୟାନ ପାଇଁ ସମସ୍ତ ତଥ୍ୟ ଦିଆଯିବ ।
ଡକ୍ଟର କ୍ରିଷ୍ଣା ଇଲା କହିଛନ୍ତି, ତାଙ୍କ ନାତୀ ୬ ବର୍ଷର ଏବଂ ତାକୁ ମଧ୍ୟ ଏହି ଟିକା ଦିଆଯିବ । ବର୍ତମାନ ପାଖରେ ଡାଟା ନାହିଁ କିନ୍ତୁ କୋଭାକସିନର ଫେଜ ଥ୍ରି ଟ୍ରାଏଲର ଡାଟା ଆଉ ୪ ମାସ ମଧ୍ୟରେ ମିଳିଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଭାରତ ବାୟୋଟେକ ଏବେ ୨୬ହଜାର ଭଲ୍ୟୁଂଟରଙ୍କ ସହିତ ଫେଜ ଥ୍ରି ଟ୍ରାଏଲ ଚଲାଇଛି । ଏବେ ସୁଦ୍ଧା ସରକାର କହିଛନ୍ତି କୋଭିଡ ୧୯ ଟିକା କେବଳ ବୟସ୍କଙ୍କ ପାଇଁ । ତେବେ ଯଦି ସନ୍ତୋଷଜନକ ଡାଟା ମିଳେ ତେବେ ଆଗକୁ ଏହା ପିଲାମାନଙ୍କ କ୍ଷେତ୍ରରେ ଉଦ୍ଦିଷ୍ଟ ହେବାରେ କୌଣସି ଅସୁବିଧା ନାହିଁ ବୋଲି ଭାରତ ବାୟୋଟେକ କହିଛି ।
ହେଲେ ଆମେରିକାରେ ମଡନା ଟିକା ୨୦୨୨ ପର୍ୟ୍ୟନ୍ତ ଛୋଟ ପିଲାଙ୍କ ଉପରେ ପ୍ରୟୋଗ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ।