ଖୋଲିବ କୀଡନି ଠକେଇ ଗୁମର !
ଖୋଲିବ କିଡନୀ ର୍ୟାକେଟ କେଳେଙ୍କାରୀ । ସାମନାକୁ ଆସିପାରେ ସତ । କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କମିସନରେଟ ପୁଲିସ । ରିମାଣ୍ଡ ସମୟରେ କିଡନୀ ର୍ୟାକେଟ ନେଇ ଟିକିନିଖି ପଚରାଉଚରା କରିବ ପୁଲିସ । ଏହି ର୍ୟାକେଟ ପଛରେ କାହା କାହାର ସଂପୃକ୍ତ ଅଛି , ଏବଂ ଏହି କିଡନୀ ର୍ୟାକେଟର ଚେର କେଉଁ ଯାଏଁ ଲମ୍ବିଛି ସେ ନେଇ ମଧ୍ୟ ସତ ଓଗାଳିବାକୁ ଚେଷ୍ଟା କରିବ କମିସନରେଟ ପୁଲିସ ।
ନୂଆପଲ୍ଲୀରେ ରହୁଥିବା ପ୍ରତାପଚନ୍ଦ୍ର ମିଶ୍ରଙ୍କୁ କୀଡନି ଦେବାକୁ କହି ୨୦୧୯ ମସିହାରେ ହିମାଂଶୁ ୫ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲା। ଏହା ପରେ ସେ ଆଉ ଧରା ଦେଇନଥିଲା। ଏ ନେଇ ଗତ ୧୧ ତାରିଖରେ ଅଭିଯୋଗ ହେବା ପରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଗତ ୧୨ ତାରିଖରେ ଗିରଫ କରିଥିଲା। ଏହି ଖବର ପ୍ରକାଶ ପାଇବା ପରେ ହିମାଂଶୁ କିଡ୍ନି ର୍ୟାକେଟର କିଙ୍ଗପିନ୍ ବୋଲି ଜଣାପଡ଼ିଥିଲା।
ସେହିପରି ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅନୁଗୁଳର ଲିଲି ସାହୁଙ୍କୁ କିଡ୍ନି ଦେବାକୁ କହି ହିମାଂଶୁ ୧ ଲକ୍ଷ ୧୯ ହଜାର ଟଙ୍କା ଠକିଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ଅଶୋକ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ କିଡନୀ ପ୍ରତିରୋପଣ କରିବ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଅଶୋକଙ୍କର ଏକ ଘରୋଇ ହସପିଟାଲରେ ଡାଏଲିସିସ ଚାଲିଥିବାବେଳେ ତାଙ୍କୁ ଟାର୍ଗେଟ ବନାଇଥିଲା ଏହି ଠକ । ହେଲେ ଏହା ପଛରେ ଏକ ରାକେଟ କାମ କରୁଥିବା ଅଭିଯୋଗ କରିଛନ୍ତି ଅଶୋକ । କିଡନୀ ପ୍ରତିରୋପଣ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ ଡୋନର , ଡାକ୍ତର , ଘରୋଇ ହସପିଟାଲ ସମେତ ୫ରୁ ଅଧିକ ଲୋକଙ୍କ ସହ ସମ୍ପର୍କରେ ଆସିଥିଲେ ଅଶୋକ । ତେବେ କିଡନୀ ପ୍ରତିରୋପଣ କରିବାର ଜାଲ କାଗଜପତ୍ର ମିଛ ପ୍ରତିଶ୍ରୃତି ଆଉ ଓଟି ରୁମର ମିଛ ପ୍ରଲୋଭନ ଦେଖାଇ ଲୁଟି ଚାଲିଥାଏ ଲକ୍ଷ ଲକ୍ଷ ଟଙ୍କା ।
ଏବେ ଏହି ହିମାଂଶୁ ଭୂଷଣ ନନ୍ଦଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇ ଏହି କାରବାର ପଛରେ କେଉଁ ଡାକ୍ତରଙ୍କ ସଂପୃକ୍ତି ରହିଛି । କେଉଁମାନେ ହିମାଂଶୁ ସହ ଯୋଗାଯୋଗରେ ରହିଥିଲେ । ଏସବୁ ଦିଗ ଉପରେ ଖୋଳତାଡ କରିବ କମିସନରେଟ ପୁଲିସ ।