ଓଡିଆ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ୱ । ପୂର୍ବରୁ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଓଡିଆ ପୁଅଙ୍କୁ ଦେଖିବାକୁ ମିଳିଛି । ଏବେ ପୁଣି ଆଉ ଜଣେ ଓଡିଆଙ୍କୁ ସେନାର ବଡ ପଦବୀରେ ନିଯୁକ୍ତ ମିଳିଛି। ପ୍ରଥମ ଓଡିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଭାରତୀୟ ସେନାରେ ୪୨ତମ ଉପମୁଖ୍ୟ ହେବେ ଜଗସିଂହପୁରରେ ଜନ୍ମିତ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ।
ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କଠାରୁ ଦାୟିତ୍ୱ ନେବେ ଓଡିଆ ପୁଅ ଚଣ୍ଡୀ ପ୍ରସାଦ ମହାନ୍ତି । ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି । ଜଗତସିଂହପୁର ଜିଲ୍ଲାରେ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ଘର । ସେ ହେଉଛନ୍ତି ପ୍ରଶାସକ ଜିତେନ୍ଦ୍ର କୁମାର ମହାନ୍ତି ଓ ମା ସାରଦା କୁମାରୀ ମହାନ୍ତିଙ୍କ ପୁଅ । ଜଗତସିଂହପୁର ଏସ୍.ଭି.ଏମ୍. କଲେଜର ଓଡିଆ ପ୍ରଫେସର ଥିଲେ ତାଙ୍କ ମା ସାରଦା ମହାନ୍ତି। ସାରଦା ହେଉଛନ୍ତି ଓଡିଶାରେ ପିଏଚଡି କରିବାରେ ପ୍ରଥମ ମହିଳା। ୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟରେ ସେକେଣ୍ଡ ଲେଫ୍ଟନାଣ୍ଟ ଭାବେ ଯୋଗ ଦେଇ କ୍ୟାରିୟର ଆରମ୍ଭ କରିଥିଲେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ।
ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ୨୦୧୪ରେ ଜାତିଗତ ହିଂସାକାଣ୍ଡ ତୁରନ୍ତ ପରେ କାଉଣ୍ଟର ଇମରଜେନ୍ସି ଅପରେସନରେ ଆସାମରେ ଏକ ଡିଭିଜନର କମାଣ୍ଡ ସମ୍ଭାଲିଛନ୍ତି। ଏହି ଡିଭିଜନ ଏନଡିଏଫବି ଓ ଉଲଫା ଉଗ୍ରବାଦୀଙ୍କ ବିରୋଧରେ ଅନେକ ସଫଳ ଅପରେସନ କରିଛି। ସେହିପରି ୩୮ ବର୍ଷର ନିଜର କ୍ୟାରିୟରରେ ପାକିସ୍ତାନ ଓ ଚୀନ ସୀମା ସହିତ ଅନେକ ଅପରେସନରେ ଫ୍ରଣ୍ଟ ଲାଇନ୍ରେ ରହି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଜାମ୍ମୁ-କାଶ୍ମୀରର ଏଲଓସିରେ ବାଟାଲିୟନ କମାଣ୍ଡର ଓ ଆତଙ୍କୀ ନିରୋଧୀ ଅଭିଯାନରେ କମ୍ପାନୀ କମାଣ୍ଡର ଭାବେ ମଧ୍ୟ ସେ କାର୍ୟ୍ୟ କରିଛନ୍ତି। ଏପରିକି ଆସାମରେ ଏନଡିଏଫବି ଓ ଉଲଫା ଉଗ୍ରବାଦୀଙ୍କ ବିରୋଧରେ ହୋଇଥିବା ‘ଅପରେସନ ଅଲ କ୍ଲିୟର’ ଅଭିଯାନରେ ନିଜ ବାଟାଲିୟନର ନେତୃତ୍ଵ ନେଇଥିଲେ।