କୁଆଡେ ଗଲେ ଗର୍ଜୁଥିବା ସାମ୍ବାଦିକ?
ପରୀ ମାମଲାରେ ଗର୍ଜୁଥିବା ସାମ୍ବାଦିକ ଚୁପ୍ କାହିଁକି? ସରକାରଙ୍କୁ ପ୍ରଶ୍ନ କରୁଥିଲେ, ଏସଆଇଟି ମୁଖ୍ୟଙ୍କ ପ୍ରତି ଅଙ୍ଗୁଳି ଉଠାଉଥିଲେ, ଅରୁଣ ସାହୁଙ୍କୁ ଅଙ୍ଗ ତସ୍କରୀ ପଛର ମାଷ୍ଟରମାଇଣ୍ଡ ବୋଲି କହୁଥିଲେ, ଜଣକୁ ବଂଚାଇବା ପାଇଁ ଜଣକୁ ଫସାଯାଉଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ, ସେମାନେ ହଠାତ୍ ଚୁପ ହୋଇଯାଇଛନ୍ତି । ବୁଝା ପଡୁନି କଣ ପାଇଁ ସେମାନେ ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି । ଅଭିଯୁକ୍ତ ନାବାଳକ ନୁହେଁ ବରଂ ସାବାଳକ ଭାବେ ବିଚାର କରାଯିବ ବୋଲି କୋର୍ଟ କହିବା ପରେ ହଠାତ୍ ଏହି ଗ୍ୟାଙ୍କ ଏବେ ଚୁପ୍ ହୋଇଯାଇଛନ୍ତି । ସମସ୍ତ ଉଦ୍ୟମ କରୁଥିଲେ ଅଭିଯୁକ୍ତକୁ ବଂଚାଇବାକୁ, ହେଲେ ଯେତେବେଳେ ଅସଲ ଦିଗଟି ସାମ୍ନାକୁ ଆସୁଛି, ସେତେବେଳେ ମୁହଁ ଲୁଚାଇ ପଛଘୁଂଚା ଦେବାକୁ ସାମ୍ବାଦିକ ମାନେ ଆଗଭର ହେଲେଣି ।
ସାମ୍ବାଦିକତା ଦୁଇ ପ୍ରକାରର । ଗର୍ଜି ଗର୍ଜି ଗୋଟିଏ ନିର୍ଦ୍ଦିଷ୍ଟ ଦଳ ପ୍ରତି ସହାନୁଭୁତି ସୃଷ୍ଟି କରିବା । ଅନ୍ୟ ଏକ ଦିଗ ସତ ଖୋଜି ବାହାର କରିବା । ଆଜିର ଦିନରେ ରାଜନୈତିକ ଦଳର ହାତବାରିସି ସାଜି ସାମ୍ବାଦିକତା କରିବାକୁ ଅନେକ ଆଗଭର ହେଲେଣି । ଯାହାର ଫଳସ୍ୱରୁପ ନୁଆ ନୁଆ ଟିଭିରେ ମୁହଁ ଦେଖାଉଥିବା ତଥା ମୋବାଇଲ ସ୍କ୍ରୀନରେ ଆସି ନୁଆ ନୁଆ ଭାଷଣ ମାରୁଥିବା ସାମ୍ବାଦିକଙ୍କ ସଂଖ୍ୟା ବଢିଯାଇଛି । କିଛି ନବୁଝି ସରକାରଙ୍କ ଉପରେ ପ୍ରଶ୍ନ କରିବା ସାଧାରଣ ଘଟଣାରେ ପରିଣତ ହୋଇଛି । ସରକାରଙ୍କୁ ଘଂଟା ଘଂଟା ଧରି ଟାର୍ଗେଟ କରିବା ଏମାନଙ୍କର ଅଭ୍ୟସାରେ ପରିଣତ ହେଲାଣି । ହେଲେ ଏହା ଯେ ଏକ ବିପଦଜନକ ଦିଗକୁ ସାମ୍ନାକୁ ଆଣୁଛି, ତାକୁ ବୁଝିବାର ଆବଶ୍ୟକତା ରହିଛି ।
ସରକାରଙ୍କୁ ଟାର୍ଗେଟ କରିବାରେ କିଛି ଅସୁବିଧା ନାହିଁ । ସରକାରଙ୍କ ଦୋଷ ଦୁର୍ବଳତା ଆଉ ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବା ସାମ୍ବାଦିକର କାମ । ହେଲେ ଜଣେ ସାମ୍ବାଦିକ ଯଦି ଗୋଟିଏ ରାଜନୈତିକ ଦଳର ହାତବାରିସୀ ସାଜି କାମ କରିବ, ଆଉ ସବୁ କିଛି ନୀତି ନିୟମକୁ ଜଳାଂଜଳି ଦେଇ ସାମ୍ବାଦିକତା କରିବ, ତେବେ ଏହା ନିହାତି ବିପଦଜନକ ସ୍ଥିତି ସୃଷ୍ଟି କରିବ । ତଥ୍ୟ ପ୍ରମାଣ ଆଉ ସୁଚନା ଆଧାରରେ ଯଦି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଲୋକଙ୍କ ନିକଟକୁ ଜଣେ ସାମ୍ବାଦିକ ଆସନ୍ତି ତେବେ ଗ୍ରହଣୀୟତା ବଢିବା ସହ ସାମବାଦିକତା ମଧ୍ୟ ଆଗକୁ ଯାଇପାରିବ । ପରୀ ପ୍ରସଙ୍ଗ ସମସ୍ତ ସାମ୍ବାଦିକଙ୍କ ପାଇଁ କେସ୍ ଷ୍ଟଡି ହୋଇ ରହିବ, କିଭଳି ରାଜ୍ୟରେ ସାମ୍ବାଦିକତା ଜାତୀୟ ସ୍ତରର ରୁପ ନେଲାଣି । ଯେଉଁଠି ଗୋଟିଏ ପଟେ ସରକାର ଆଉ ଅନ୍ୟପଟେ ବିରୋଧୀ ।