କିଏ ମାରିବ ବାଜି ? କାହାକୁ ବାଛିବେ ଜନତା ?ଦିନ କେଇଟା ପରେ ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ। ଗାଁ ଗାଁରେ ଭୋଟରଙ୍କୁ ମନେଇବାକୁ ଚାଲିଛି ତିନି ରାଜନୈତିକ ଦଳର ପ୍ରୟାସ ।
ଦିନ କେଇଟା ପରେ ଉପନିର୍ବାଚନ । ଏଥପାଇଁ ଉଠୁଛି ପଡୁଛି ବାଲେଶ୍ୱର ଓ ତିର୍ତ୍ତୋଲ । କିଏ ହାତେଇବ ଗାଦି ଏନେଇ ଲାଗିପଡିଛନ୍ତି ୩ ରାଜନୈତିକ ଦଳ । ଗାଁରେ ଗାଁରେ ବୁଲି ଭୋଟରଙ୍କୁ ମନେଇବାକୁ ଚାଲିଛି ପ୍ରାଣମୂର୍ଚ୍ଚା ଉଦ୍ୟମ ।
କୋଭିଡ ମହାମାରି ଭିତରେ ଏବେ ବାଲେଶ୍ୱ, ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ରାଜନୀତି ସରଗରମ । ମୈଦାନ ପ୍ରସ୍ତୁତ ଥିବା ବେଳ ନେତା ଓ ଅଭିନେତାଙ୍କ ଭିଡ ଜମିଛି । ପ୍ରାର୍ଥୀ ତାଲିକା ଘୋଷଣା ଓ ନାମାଙ୍କନ ପତ୍ର ଦାଖଲ ପରେ ତାରକା ପ୍ରଚାରକଙ୍କ ତାଲିକା ବି ଘୋଷଣା ହୋଇସାରିଛି । ତିନି ପ୍ରମୁଖ ଦଳର ତାରକା ପ୍ରଚାରକଙ୍କ ସମେତ ସେମାନଙ୍କ ସଂଗଠନ, ଜିଲ୍ଲା ସ୍ତରର ସାଂଗଠାନିକ କର୍ମକର୍ତା ଦୁଇ ନିର୍ବାଚନ ମଣ୍ଡଳୀରେ ଡେରା ପକାଇଛନ୍ତି ।
ବାଲେଶ୍ୱର ଆସନଟି ପୂର୍ବରୁ ବିଜେପି ହାତରେ ଥିବା ବେଳେ ତିର୍ତୋଲ ଆସନଟି ବିଜେଡି ହାତରେ ଥିଲା । ତିର୍ତୋଲରେ ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପୁଅ ପ୍ରାର୍ଥୀ ହୋଇଥିବା ବେଳେ ଏଠାରେ ଦଳ ଉଭୟ ଅନୁକମ୍ପା ଓ ଦଳୀୟ ସଂଗଠନ ଉପରେ ଭରସା ରଖିଛି । ସେହିପରି ବାଲେଶ୍ୱରରେ ବିଜେପିର ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯାଇଛି ।
୨୦୧୯ରେ ବାଲେଶ୍ୱର ଆସନ ବିଜେପି ଅକ୍ତିଆର କରିଥିବା ବେଳେ ଉପନିର୍ବାଚନରେ ମଧ୍ୟ ଗାଦି ହାତେଇବା ପାଇଁ ଲାଗି ପଡିଛନ୍ତି ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ । ବିଜେଡି ବି ଖୁବ୍ ଜୋରସୋରରେ ପୁରୁଣା ସ୍ଥାନ ଅଧିକାର କରିବା ପାଇଁ ଲଢେଇ କରୁଛି । ସେପଟେ ତିର୍ତୋଲ ଆସନ ଜିତିବାକୁ ୩ ପ୍ରମୁଖ ଦଳର ରଣନୀତି ପ୍ରସ୍ତୁତ କରିଛନ୍ତି ।
ବାଲେଶ୍ୱର ସଦରରେ ଟିକେଟ ବଂଟନକୁ ନେଇ କୌଣସି ଅସନ୍ତୋଷ ନାହିଁ । ଟିକେଟକୁ ନେଇ ବାଲେଶ୍ୱର ବିଜେଡିରେ ଅସନ୍ତୋଷ ଥିବା ଚର୍ଚ୍ଚା ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏହି ମତ ରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା କହିଛନ୍ତି, ଦଳ ଏକଜୁଟ ଅଛି । ଏଠାରେ ବିଜେଡି ପ୍ରାର୍ଥୀ ହିଁ ଜିତିବେ ଓ ବାଲେଶ୍ୱରର ବିକାଶକୁ ଆଗେଇ ନେବେ ।