୫ ଘଂଟା ବିଳମ୍ବରେ ସୁନାବେଶ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ । ୫ ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ । ପୌଷ ପୂର୍ଣ୍ଣିମାରେ ପ୍ରତିବର୍ଷ ପରି ମହାପ୍ରଭୁଙ୍କ ପବିତ୍ର ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୁଏ। କିନ୍ତୁ ସେବା ବିଳମ୍ବ ଯୋଗୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।ସିଂହାରୀ ସେବକଙ୍କ ମଧ୍ୟରେ ବିବାଦ ହେତୁ, ବେଶରେ ବିଳମ୍ବ ହୋଇଥିଲା ।
ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ସମ୍ପାଦନ ପରେ ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶ ହୋଇଥାନ୍ତି । ସକାଳ ଧୂପ ନୀତି ପରେ ସୁନାବେଶ ହୋଇଥାଏ । ତେବେ, ସିଂହାରୀ ସେବକଙ୍କ ମଧ୍ୟରେ ବିବାଦ ହେତୁ ସୁନାବେଶ ୫ ଘଂଟା ବିଳମ୍ବରେ ହୋଇଛି । ଫଳରେ ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ନକରି ଫେରିଛନ୍ତି ।
ପୌଷ ପୂର୍ଣ୍ଣମାରେ ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ପୌଷପୁର୍ଣ୍ଣିମା ଅନ୍ୟତମ । ପୌଷ ପୂର୍ଣ୍ଣମା ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ସହ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଥାଏ । ପରେ ପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା’ ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରନ୍ତି । ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯାଏ । ପରେ ରତ୍ନସିଂହାସନରେ ମହାପ୍ରଭୁ ମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ ।