ବିଧାୟକଙ୍କୁ ବାହା ହେବାକୁ ଜିଦ୍..
ବିଧାୟକଙ୍କୁ ବାହା ହେବାକୁ ଜିଦ୍ । ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବାଲିପଶି ଗାଁରେ ଥିବା ବାସଭବନରେ ପଶି ଏମିତି ଦାବି କରିଛନ୍ତି ଜଣେ ଯୁବତୀ। ବିବାହ ନ ସରିବା ପର୍ୟ୍ୟନ୍ତ ଏ ଘରୁ ଯିବିନି ବୋଲି ଦାବି କରିଛନ୍ତି ଯୁବତୀ । ଏନେଇ ନିଜେ ବିଧାୟକ ପାଲଲହଡା ଥାନାରେ ଏତଲା ଦେଇଛନ୍ତି। ବିଧାୟକ ଥାନାରେ ଏତଲା ଦେବା ପରେ ପୁଲିସ ଯୁବତୀଙ୍କୁ ସେଠାରୁ ଆଣି ଘରକୁ ପଠାଇ ଦେଇଛି।
ଗତ ୨୫ ତାରିଖରେ ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବାସଭବନକୁ ଆସି ଜଣେ ଯୁବତୀ ବିବାହ କରିବା ପାଇଁ ଅଡ଼ିବସିଥିଲେ । ଅଧରାତି ପର୍ୟ୍ୟନ୍ତ ବିଧାୟକଙ୍କ ଘରେ ଚାଲିଥିଲା ହାଇପ୍ରୋଫାଇଲ ଡ୍ରାମା ।ପାଳଲହଡ଼ା ପୁଲିସ ବିଧାୟକଙ୍କ ଘରକୁ ଯାଇ ରାତି ଗୋଟାଏ ବେଳକୁ ଯୁବତୀଙ୍କୁ ଥାନାକୁ ଆଣିଥିଲେ । ଥାନାକୁ ଆସିବା ପରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ ଯେ, ବିଧାୟକ ମୁକେଶ କୁମାର ପାଳଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଅଛି । ଏଥିନେଇ ତାଙ୍କ ମୋବାଇଲ ଫୋନ୍ରେ ପ୍ରମାଣ ମଧ୍ୟ ରହିଛି ।
ସେପଟେ ବିଧାୟକ ଥାନାରେ ଅଭିଯୋଗ କରିଛନ୍ତି, ‘ଏହି ଯୁବତୀଙ୍କ ସହ ତାଙ୍କର ବିବାହ ପ୍ରସ୍ତାବ ପଡିଥିଲା । ସେ ବିଭିନ୍ନ ଚାପ ପକାଇ ମୋତେ ବିବାହ କରିବା ପାଇଁ ବାଧ୍ୟ କରିବା ସହ ମୋତେ ଧମକ ଦେଉଥିବା ବିଧାୟକ ଅଭିଯୋଗ କରିଛନ୍ତି । ’ ଅନୁଗୁଳ ଜିଲ୍ଲା ଓ ପାଲଲହଡ଼ା ଉପଖଣ୍ଡର ସରକାରୀ ଅଧିକାରୀଙ୍କୁ ମଧ୍ୟ ଫୋନ କରି ଏହି ବିବାହ କରାଇ ଦେବାକୁ ମଧ୍ୟ ଯୁବତୀ ଚାପ ପ୍ରୟୋଗ କରୁଥିବା ବିଧାୟକ ତାଙ୍କ ଏତଲାରେ ଜଣାଇଛନ୍ତି । ଏହି ଏତଲାକୁ ଭିତ୍ତି କରି ପାଳଲହଡ଼ା ପୁଲିସ ୨୦/ ୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବିଧାୟକଙ୍କ ଘରେ ଏମିତି ରାତିଅଧିଆ ବିବାଦକୁ ନେଇ ଏବେ ପାଳଲହଡାରେ ନାନା ଚର୍ଚ୍ଚା ଚାଲିଛି ।