ଦିଲ୍ଲୀରେ ବିସ୍ଫୋରଣ
ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ । ବିଜୟଚୌକରେ ଧ୍ୱଜାବତରଣ ଚାଲିଥିବାବେଳେ ଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଯାହା ଫଳରେ ଘଟଣା ସ୍ଥଳରେ ଥିବା ଏକାଧିକ କାର୍ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଏହା ଦେଶବାସୀଙ୍କ ମନରେ ଏକ ଆତଙ୍କବାଦୀ କାର୍ୟ୍ୟକଳାପକୁ ପୁଣିଥରେ ଅଙ୍କୁରିତ କରିଛି ।
ଇସ୍ରାଏଲ୍ ଦୂତାବାସ ଥିବା ଏପିଜେ ଅବ୍ଦୁଲ କାଲାମ୍ ମାର୍ଗ କଡା ସୁରକ୍ଷା ବଳୟ ଥିବା ଏକ ଅଂଚଳ ହୋଇଥିବା ବେଳେ ସେଠାରେ ବିସ୍ଫୋରଣ ଘଟିବା ପୁଲିସ ଲାଗି ଚିନ୍ତାର ବିଷୟ ହୋଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ଥାଇ ମଧ୍ୟ ଏପରି ବିସ୍ଫୋରଣ କିପରି ହେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିସ୍ଫୋରଣରେ ୪ରୁ ୫ଟି କାରର କାଚ ଭାଙ୍ଗି ପଡ଼ିଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଓ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବିଜୟ ଚୌକରୁ ୨ କିଲୋମିଟର ଦୂରରେ ବିସ୍ଫୋରଣ ଘଟିଛି । ଇସ୍ରାଏଲ ଦୂତାବାସର ପ୍ରାୟ ୧୫୦ ମିଟର ଦୂରରେ ବିସ୍ଫୋରଣ ଘଟିଛି । ବିଜୟ ଚୌକରେ ଧ୍ୱଜାବତରଣ ଉତ୍ସବ ଚାଲିଥିବା ବେଳେ ବିସ୍ଫୋରଣ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି । ଧ୍ୱଜାବତରଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।