ଟିକା ନେଲେ ପୁଲିସ ବାବୁ
ଆଜିଠାରୁ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ରାଜ୍ୟର ସବୁ ଜିଲ୍ଲାରେ ମାଲକାନଗିରିରୁ ସମ୍ବଲପୁର, କନ୍ଧମାଳରୁ ପୁରୀ ସବୁଠାରେ ପୁଲିସ ଅଧିକାରୀ ଓ ଜିଲ୍ଲାପ୍ରଶାସନର ଅଧିକାରୀ ମାନଙ୍କୁ ଦିଆଯାଇଛି କରୋନା ଟିକା । ପ୍ରଥମେ ପୁଲିସ ଡିଜି ଅଭୟ ଟିକା ନେଇଥିଲେ । କଟକ ଇନଡୋର ହଲରେ ଡିଜି ଟିକା ନେବା ପରେ ଟିକାକରଣକୁ ପ୍ରଶଂସା କରିଥିଲେ ।
ରାଜ୍ୟର ବିଭିନ୍ନ ଜିଲ୍ଲାର ବରିଷ୍ଠ ସରକାରୀ ଅଧିକାରୀମାନେ ଆଜି ଟିକା ନେଇଛନ୍ତି। ପ୍ରଥମେ ପୁଲିସ ଡିଜି ଅଭୟ ଟିକା ନେବା ପରେ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ମଧ୍ୟ ଟିକା ନେଇଛନ୍ତି । ଟିକା ନେବା ପରେ ପୁଲିସ କମିସନର କହିଛନ୍ତି ଯେ, ଗୁଳିକୁ ଆମେ ଡରୁନା, ଟିକାକୁ କାହିଁକି ଡରିବୁ । ଭୁବନେଶ୍ବର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଟିକା ନେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ପୁଲିସ ଓ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଦିଆଯାଇଛି କରୋନା ଟିକା । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ସମସ୍ତ ଜିଲ୍ଲାପାଳ ଓ ଏସପି ଟିକା ନେଇଛନ୍ତି ।
ବାଲେଶ୍ୱରର ଗାନ୍ଧୀ ସ୍ମୃତି ଭବନରେ ଟିକାକରଣ କେନ୍ଦ୍ରରେ ଟିକା ନେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ଛତ୍ରପୁରରେ ଟିକା ନେଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସପି ବ୍ରିଜେଶ ରାୟ । ସେହିପରି ସମ୍ବଲପୁର ଡିଆରଡିଏ କାର୍ୟ୍ୟାଳୟ ପରିସରରେ ଜିଲ୍ଲାପାଳ ଶୁଭମ୍ ସକ୍ସେନା, ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର, ଉପ ଜିଲ୍ଲାପାଳ ସୂର୍ୟ୍ୟବଂଶୀ ମୟୁର ବିକାଶ ଟିକା ନେଇଛନ୍ତି । ତେବେ କରୋନା ଟିକା ନିରାପଦ । କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ଟିକା ନେବା ପରେ ନିବେଦନ କରିଛନ୍ତି ଅଧିକାରୀମାନେ । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଟିକା ତନେଇଛନ୍ତି , ଆଉ ଟିକାକରଣ ସମୟର ଫଟୋ ବି ଉଠାଇଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରିବାକୁ କୁହାଯାଇଛି । ଫଳରେ ଅନ୍ୟମାନଙ୍କ ମନରେ ଟିକାକୁ ନେଇ ଥିବା ଭୟ ଦୂର ହୋଇପାରିବ । ଏବଂ ଟିକା ନେବାକୁ ସମସ୍ତେ ଆଗେଇ ଆସିବେ ।