କେନ୍ଦ୍ର ସରକାରଙ୍କୁ କୃଷକ ନେତାଙ୍କ ଅଲ୍ଟିମେଟମ
ମିଳିତ କୃଷକ ମୋର୍ଚ୍ଚାଙ୍କ ‘ଚକ୍କା ଜାମ୍’ ଆନ୍ଦୋଳନ ସଫଳତା ପୂର୍ବକ ଶେଷ ହୋଇଛି । ଆନ୍ଦୋଳନର ସଫଳତା ନେଇ ଭାରତୀୟ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି। ଏହି ଅବସରରେ କୃଷକ ନେତା କେନ୍ଦ୍ର ସରକାରଙ୍କୁ ଅଲ୍ଟିମେଟମ ଦେଇଛନ୍ତି। ଟିକାୟତ ସରକାରଙ୍କୁ ୨ ଅକ୍ଟୋବର ଗାନ୍ଧି ଜୟନ୍ତୀ ପର୍ୟ୍ୟନ୍ତ ସମୟ ଦେଇଛନ୍ତି। ଯଦି ଏହି ସମୟ ସୁଧା ସରକାର ଚାଷୀଙ୍କ ଦାବି ପ୍ରତି ପଦକ୍ଷେପ ନ ନିଅନ୍ତି ତେବେ ଆମେ ଆଗାମୀ ରଣନୀତି ପ୍ରସ୍ତୁତ କରିବୁ ବୋଲି ସତର୍କ କରିଦେଇଛନ୍ତି।
ରାକେଶ ଟିକାୟତ ଶନିବାର ଘୋଷଣା କରିଛନ୍ତି କି କୃଷି ଆଇନ୍ ପ୍ରତ୍ୟାହାର କରିବାକୁ ଆମେ ସରକାରଙ୍କୁ ଅକ୍ଟୋବର ୨ ପର୍ୟ୍ୟନ୍ତ ସମୟ ଦେଉଛୁ। ପୂର୍ବରୁ ଦିଲ୍ଳୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ‘ଚକା ଜାମ୍’ ହେବାର କୌଣସି ଯୋଜନା ନାହିଁ ବୋଲି କହିଥିବା ଟିକାୟତ ଆହୁରି ବି କହିଛନ୍ତି କି କିଛି ଦୁର୍ବୃତ୍ତ ‘ଚକା ଜାମ୍’କୁ ହିଂସାତ୍ମକ ରୂପ ଦେବାକୁ ଚେଷ୍ଟା କରିଛନ୍ତି। ସେହି ଦୁର୍ବୃତ୍ତମାନଙ୍କ ସଂପର୍କରେ ମୋ ନିକଟରେ ସୂଚନା ରହିଛି। ସେମାନେ କାହା ଇଙ୍ଗିତରେ ଏପରି କାର୍ୟ୍ୟରେ ଲିପ୍ତ ହୋଇଛନ୍ତି ତାହା ଆମେ ସମସ୍ତଙ୍କ ସାମ୍ନାକୁ ଆଣିବୁ। ସରକାରଙ୍କ ସହ ଚାଷୀ କୌଣସି ଆଲୋଚନା ଚାପରେ କରିବେନି ବୋଲି ମଧ୍ୟ ଟିକାୟତ ତାଙ୍କ କଥା ଦୋହରାଇଛନ୍ତି। ଗାଜିପୁର ବର୍ଡରରେ ଚାଷୀଙ୍କ ଲାଗି ରାସ୍ତାରେ କଣ୍ଟା ପୋତା ଯାଇଛି। ଯେଉଁଠାରେ ପୋଲିସ କଣ୍ଟା ଲଗାଇଥିଲା ରାକେଶ ଟିକାୟତ ସେଠାରେ ଫୁଲ ଗଛ ରୋଇଛନ୍ତି।
ସେ ଆହୁରି ବି କହିଛନ୍ତି ଯେ ‘ଯେ ପର୍ୟ୍ୟନ୍ତ ଆମ ଦାବି ପୂରଣ ହୋଇନି, ସେ ପର୍ୟ୍ୟନ୍ତ ଆମେ ଘରକୁ ଫେରିବୁ ନାହିଁ। ଆମେ ସରକାରଙ୍କୁ ଅକ୍ଟୋବର ୨ ତାରିଖ ପର୍ୟ୍ୟନ୍ତ ସମୟ ଦେଇଛୁ। ଏହାପରେ ଆମେ ପରବର୍ତ୍ତୀ ଯୋଜନା କରିବୁ। ଆମେ କୌଣସି ଚାପରେ ଆସି ସରକାଙ୍କ ସହ ଆଲୋଚନା କରିବୁ ନାହିଁ। ସେପଟେ ମିଳିତ କୃଷକ ମଞ୍ଚଙ୍କ ଆନ୍ଦୋଳନକୁ ପୂର୍ବତନ ଏଆଇସିସି ସାଧାରଣ ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସମର୍ଥନ କରିଛନ୍ତି। ସେମାନଙ୍କ ଦାବିକୁ ରାହୁଲ ନ୍ୟାୟୋଚିତ କହିବା ସହ ଦାବି ପୂରଣ ଲାଗି ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଚକ୍କା ଜାମ୍ ଏକ ଉଦାହରଣ ବୋଲି କହିଛନ୍ତି।