କାଳିଆ କାମରେ କେହି ଦେଇପାରିବେନି ବାଧା
ବଡ ଦେଉଳକୁ ନେଇ ବଡ ଖବର । ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ । ପ୍ରତ୍ୟାହୃତ ନେଇ ସ୍ପଷ୍ଟ କଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ । ବାଇ-ଲକୁ ନେଇ ବିବାଦ ତେଜିବା ପରେ ପ୍ରବଳ ବିରୋଧ ହେବା ପରେ ପ୍ରସ୍ତାବ ପ୍ରତ୍ୟାହାର କରାଯାଇଛି । ତେବେ ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଖୋଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ବିଜେପି ଓ ବିଜେଡି ସାଂସଦଙ୍କ ଦାବି ପରେ ଏହାକୁ ଉଠାଇନିଆଯାଇଛି ।

ତେବେ ବାଇ-ଲ ପ୍ରତ୍ୟାହାର ପୂର୍ବରୁ ବଡଦାଣ୍ଡରୁ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାର ତୁରନ୍ତ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ପୁରୀରୁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ କହିଥିଲେ, କେହି ବି ମହାପ୍ରଭୁଙ୍କ କାମରେ ବାଧା ଦେଇ ପାରିବେନି, ବଡ ଦେଉଳର ବିକାଶ କାମକୁ ଅଟକାଇ ପାରିବେନି । ମୁଖ୍ୟମନ୍ତ୍ରୀଙ୍କ ଦାବିର କିଛି ସମୟ ପରେ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ହୋଇଛି ।
ସେପଟେ ଦୁଇଦିନ ତଳେ ଏନଏମଏ ବା ନ୍ୟାସନାଲ ମନୁମେଣ୍ଟ ଅଥରିଟିଙ୍କ ପକ୍ଷରୁ ଶ୍ରୀମନ୍ଦିର ପାଇଁ ଜାରି ହୋଇଥିବା ପ୍ରସ୍ତାବିତ ବାଇ-ଲକୁ ବିଭିନ୍ନ ମହଲରୁ ବିରୋଧ ହୋଇଥିଲା । ଶ୍ରୀମନ୍ଦିର ଚାରିପଟେ ରହୁଥିବା ସେବାୟତ ଓ ସ୍ଥାନୀୟ ଲୋକେ ଏହି ବାଇ-ଲକୁ ପ୍ରବଳ ବିରୋଧ କରିଥିଲେ । ବାଇ-ଲ କାର୍ଯ୍ୟକାରୀ ହେଲେ ବର୍ଷ ବର୍ଷ ଧରି ମନ୍ଦିର ଚାରିପଟେ ରହୁଥିବା ଲୋକେ ବିଶେଷ ଭାବେ ପ୍ରଭାବିତ ହେବେ । ମନ୍ଦିର କାମ, ଭକ୍ତ, ଭଗବାନଙ୍କ ସେବାରେ ପ୍ରଭାବ ପଡିବ । ଏହି ଅଧିନିୟମ ଲାଗୁ ହେଲେ ମନ୍ଦିର ଚତୁପାଶ୍ୱର୍ରୁ ୩୦୦ ମିଟର ଯାଏଁ କୌଣସି କାମ କରାଯାଇ ପାରିବନି । ଏହି ଅଞ୍ଚଳ ନିୟନ୍ତ୍ରିତ ଅଞ୍ଚଳ ହେବ, ଦରକାର ପଡିଲେ ଦୋକାନ ବଜାର ଭଙ୍ଗାଯାଇପାରେ, ଏଲଇଡି କିମ୍ବା ରିଫ୍ଲେକ୍ଟ ଲାଇଟ ଲାଗିପାରିବ ନାହିଁ, ରଥଯାତ୍ରା ସମୟରେ ଉତ୍ସବର ବ୍ୟାନର ୩ ଦିନକୁ ଅଧିକ ସମୟ ଧରି ଲାଗି ପାରିବନି । ବିଶେଷ କରି ଏହି ଲ ଲାଗୁ ହେଲେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ସ୍ୱପ୍ନ ସାକାର ହୋଇପାରିବନି । ବଡଦେଉଳ ବିକାଶରେ ବାଧା ସୃଷ୍ଟି କରିଥାନ୍ତା । ଆଉ ଶେଷରେ ବାଇ-ଲ ନେଇ ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ବିଜେପି ସାଂସଦ, ବିଜେଡି ସାଂସଦ ଲଗାତାର କେନ୍ଦ୍ରମନ୍ତ୍ରୀଙ୍କୁ ଜଗନ୍ନାଥ ସଂସ୍କୃତି ଓ ଭକ୍ତଙ୍କ ଭାବାବେଗ କଥା ଅବଗତ କରାଇବା ପରେ ପ୍ରତ୍ୟାହୃତ ହୋଇଛି ପ୍ରସ୍ତାବିତ ବାଇ-ଲ ।
ତେବେ ବାଇ-ଲ ପ୍ରତ୍ୟାହାର ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି । ରାଜ୍ୟରେ ଯେକୌଣସି ପ୍ରସଙ୍ଗକୁ ନେଇ ରାଜନୈତିକ ଦଳମାନେ ଭିନ୍ନଭିନ୍ନ ଗୋଟି ଚାଳନା କରିପାରନ୍ତି, ରାଜନୈତିକ ଫାଇଦା ପାଇଁ ବୟାନବାଜୀ ଦିଅନ୍ତି ସତ କିନ୍ତୁ ଜଗନ୍ନାଥଙ୍କ କାମରେ ସମସ୍ତେ ଏକଜୁଟ ହୋଇ ଲଢନ୍ତି । ଓଡିଶାର ଐତିହ୍ୟ, ଓଡିଶାର ବିଶ୍ୱାସ, ଓଡିଶାର ପ୍ରାଣ ମହାପ୍ରଭୁଙ୍କ ପାଇଁ ଦଳଗତ ନିର୍ବିଶେଷରେ ସମସ୍ତେ ଆଗକୁ ଆସନ୍ତି । ଓଡିଶାର ସ୍ୱାର୍ଥ ପାଇଁ ହାତ ମିଳାନ୍ତି । ଯାହା ବାଇ-ଲ ପ୍ରତ୍ୟାହାର ପାଇଁ ବିଜେଡି-ବିଜେପିର ଭୁମିକାରୁ ବୁଝାପଡୁଛି ।