ଶୀତଋତୁରେ ବଢିପାରେ କରୋନା । ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ଦଶହରା ନେଇ ରାଜ୍ୟବାସୀଙ୍କୁ ଜଣାଇଲେ ଅଭିନନ୍ଦନ ।
ଶୀତ ଆସିଲେ ବଢିପାରେ କରୋନା ସଂକ୍ରମଣ । ଏନେଇ ରାଜ୍ୟବାସୀଙ୍କୁ ଆଜି ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାବଧାନ ନରହିଲେ , ସଂକ୍ରମଣ ବଢିବ । ଗତ ୭ ମାସ ହେବ ଓଡିଶାବାସୀ କରୋନା ବିରୋଧରେ ଲଢେଇ ଜାରି ରଖିଛନ୍ତି । ଓଡିଶାବାସୀଙ୍କ ତ୍ୟାଗ ବୃଥା ଯାଇନି । କରୋନା ସଂକ୍ରମଣ ରୋକିବାରେ ଓଡିଶା ସଫଳ ହୋଇଛି । ତେବେ ଭ୍ୟାକସିନ ନଆସିବା ଯାଏ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ ଦିନ ହେଲା ରାଜ୍ୟରେ ପଜିଟିଭ ସଂଖ୍ୟା କମିଛି । ଲୋକମାନେ ଅନୁରୋଧ ରକ୍ଷା କରି ସାମାଜିକ ଦୂରତା ରକ୍ଷା ସହ ହାତ ଧୋଉଛନ୍ତି, ମାସ୍କ ପିନ୍ଧୁଛନ୍ତି । ତେଣୁ ରାଜ୍ୟରେ ସଂକ୍ରମଣ କମିଛି । କିନ୍ତୁ କିିଛି ଲୋକ ଅମାନିଆ ଅଛନ୍ତି । ସେମାନେ ପରିସ୍ଥିତି ବୁଝନ୍ତୁ ବୋଲି ଅନରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି ରାଜ୍ୟବାସୀଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପରିବାର ସହ ଘରେ ରହି ପୂଜା କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ସାଧାରଣ ସ୍ଥାନରେ ଭିଡ଼ ନକରିବାକୁ ଅନୁରୋଧ କରିଛନ୍ତି ।ଆମେରିକା ପରେ ଭାରତ ସଂକ୍ରମଣରେ ୨ୟ ସ୍ଥାନରେ ରହିଛି । କେରଳ କରୋନାକୁ ଭଲଭାବେ ମୁକାବିଲା କରିଥିଲା । ମାତ୍ର ସେଠାରେ ପ୍ରସିଦ୍ଧ ପର୍ବ ପାଳନ ପରେ ପୁଣି ସଂକ୍ରମଣ ପୂର୍ବ ଅପେକ୍ଷା ୩ ଗୁଣ ବଢିଛି । ବିଶେଷଜ୍ଞମାନେ କହୁଛନ୍ତି ଶୀତଋତୁରେ କରୋନା ଭୟଙ୍କର ହୋଇପାରେ । ତେଣୁ କରୋନା ପୁଣି ଭୟାନକ ରୂପ ନେବା ନେଇପାରେ । ଆଗକୁ ଦୁର୍ଗାପୂଜା, ଦୀପାବଳୀ ଆସୁଛି । ମୋର ଅନୁରୋଧ ସାଧାରଣ ସ୍ଥାନରେ ଭିଡ କରନ୍ତୁ ନାହିଁ । ଘରେ ରହି ମାଆଙ୍କ ପୂଜା କରନ୍ତୁ । ପରିବାରକୁ ସୁରକ୍ଷିତ ରଖନ୍ତୁ ।