ସୋସିଆଲ ମିଡିଆରେ ସାଂସଦ ମୁହାଁମୁହିଁ
ପୁଣି ଟୁଇଟରରେ ମୁହାଁମୁହିଁ ହେଲେ ଦୁଇ ସାଂସଦ । ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଟୁଇଟ୍ ୱାର । ଦୁଇ ଦିନ ପୂର୍ବରୁ ଅପରାଜିତା କରିଥିବା ଟୁଇଟର ଉତର ଦେଇଛନ୍ତି ଅନୁଭବ । ଅନୁଭବ ଟୁଇଟ କରି ପ୍ରଶ୍ନ କରଛନ୍ତି ଯେ, ଜଗନ୍ନାଥ ମନ୍ଦିର ପାଇଁ ଏନଏମଏ ବାଇ ଲ ଆଣି କାହିଁକି ପ୍ରତ୍ୟାହାର କରାଗଲା ତାର କାରଣ କୁହନ୍ତୁ । ବାଇ-ଲକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଭେଟିବାକୁ ସାଂସଦମାନଙ୍କ ସହ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯିବାକୁ ମନା କରିବା ପରେ ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କୁ ଟାର୍ଗେଟ କରି ଟୁଇଟ କରିବା ସହ କାରଣ ପଚାରିଥିଲେ । ଯାହାର ଉତ୍ତରରେ ଉପଯୁକ୍ତ ସମୟରେ ମତ ରଖିବି ବୋଲି କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଅପରାଜିତା ଷଡ଼ଙ୍ଗୀଙ୍କ ସେହି ଟୁଇଟର ଜବାବ ଦେଇ ପୁଣି ଥରେ ରିଟୁଇଟ କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି। ସେ ଲେଖିଛନ୍ତି, ମ୍ୟାଡାମ୍ ଅପରାଜିତା ଷଡ଼ଙ୍ଗୀଜୀ, ଆପଣ ପ୍ରଥମେ ସ୍ପଷ୍ଟ କରିବା ଉଚିତ କି ଜଗନ୍ନାଥ ମନ୍ଦିର ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷ (ଏନଏମଏ) ବାଇ-ଲ’ ବିଜ୍ଞପ୍ତି ଜାରି କରିବାର କାରଣ କ’ଣ ଥିଲା ଏବଂ ପରେ ଏହାକୁ କାହିଁକି ପ୍ରତ୍ୟାହାର କରାଗଲା? ତାଙ୍କର ଏଭଳି ଟୁଇଟ ଏବେ ଦୁହିଁଙ୍କ ମଧ୍ୟରେ ଚାଲିଥିବା ଟୁଇଟର ଯୁଦ୍ଧକୁ ଆଗକୁ ବଢ଼ାଇଛି।
ଜାତୀୟ ସ୍ମରକୀ କର୍ତ୍ତୃପକ୍ଷ ଜଗନ୍ନାଥ ମନ୍ଦିର ପାଇଁ ଏକ ସ୍ବତନ୍ତ୍ର ବାଇ-ଲ ଆଣିବାକୁ ଯାଉଥିଲେ। ଏହି ବାଇ-ଲରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି ହେବ। ପ୍ରଥମ ୧୦୦ ମିଟର ପୂରା ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା ହେବ। ଏହି ଅଞ୍ଚଳରେ କୌଣସି ପ୍ରକାର ସରକାରୀ କିମ୍ବା ଘରୋଇ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। ମନ୍ଦିରର ଚାରିପଟେ ୨୦୦ ମିଟର ପରିମିତ ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା କରାଯିବ। ଏହି ଅଞ୍ଚଳରେ ନିର୍ମାଣ କାର୍ୟ୍ୟକୁ ଯଦିଓ ନିଷିଦ୍ଧ କରାଯିବ ନାହିଁ ତଥାପି ନିର୍ମାଣ ପାଇଁ ଏନଏମଏର ମଞ୍ଜୁରି ନିଶ୍ଚିତ ଆବଶ୍ୟକ। କିନ୍ତୁ ପରେ ଉଭୟ ବିଜେଡି-ବିଜେପି ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାହ ସିଂହ ପଟେଲଙ୍କୁ ଭେଟି ଏନଏମଏର ବାଇ ଲ’କୁ ପ୍ରତ୍ୟାହୃତ କରିବାକୁ ଦାବି କରିଥିଲେ। ସାଂସଦଙ୍କ ଦାବି ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହାକୁ ପ୍ରତ୍ୟାହାର କରିଥିଲେ