THE BYAPINI

ଛି… କି କଥା ଏଗୁଡା !

Get real time updates directly on you device, subscribe now.

ଓଡ଼ିଆରେ ଏକ ଲୋକକଥା ରହିଛି, ନାନା ମୁନିଙ୍କ ନାନା ମତ । ଆଉ ଏକାମ୍ର କ୍ଷେତ୍ରରୁ ବାଇ ଲ ପ୍ରତ୍ୟାହାର ପ୍ରସଙ୍ଗରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଏବେ ସମାନ ସ୍ଥିତି ଦେଖିବାକୁ ମିଳିଛି । କିଏ କେତେବେଳେ କଣ କହୁଛି ତାହା କିଛି ବୁଝାପଡୁନି । ଏପରିକି ରାଜ୍ୟବାସୀଙ୍କ ଆଗରେ ଏହି ପ୍ରସଙ୍ଗରେ କିଏ ସ୍ପଷ୍ଟ ବାର୍ତ୍ତା ରଖୁଛି ତାହାର ଆକଳନ କରିବା ବୋଧହୁଏ ଜଣେ ସାଧାରଣ ଲୋକ ପକ୍ଷେ ସମ୍ଭବ ନୁହେଁ । ବିଜେପି ନେତାଙ୍କ ବୟାନ ସହ ବିବାଦ ମଧ୍ୟ ଆରମ୍ଭ ହୋଇଛି । ଦଳୀୟ ଫୋରମରେ ନ ଆସି ବ୍ୟକ୍ତିଗତ ଭାବେ ବୟାନ ରଖିବା ଏବେ ବିଜେପିର କନ୍ଦଳକୁ ପଦାରେ ପକାଇଛି ।
ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ ଆସିବା ପରେ ଏହାକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ୟ୍ୟନ୍ତ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତୁରନ୍ତ ଏହି ବାଇ ଲକୁ ପ୍ରତ୍ୟାହୃତ କରିବାକୁ ବଡଦାଣ୍ଡରୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ କଡା ବାର୍ତ୍ତା ଦେବା ଓ ପରେ ଉଭୟ ବିଜେପି ଓ ବିଜେଡି ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏ ବାବଦରେ ଆଲୋଚନା ପରେ ଶ୍ରୀମନ୍ଦିର ପାଇଁ ଆସିଥିବା ବାଇ ଲକୁ ପ୍ରତ୍ୟାହୃତ କରିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । କିନ୍ତୁ ସେତେବେଳେ ଏ ପ୍ରସଙ୍ଗରେ ପଦୁଟିଏ କହିନଥିଲେ କିମ୍ବା ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବାକୁ ମଧ୍ୟ ଯାଇନଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ଶ୍ରୀମନ୍ଦିର ପାଇଁ ଆସିଥିବା ପ୍ରସ୍ତାବିତ ବାଇ ଲ ପ୍ରତ୍ୟାହୃତ ହେବା ପରେ ଏକାମ୍ର କ୍ଷେତ୍ର ପାଇଁ ଆସିଥିବା ବାଇ ଲକୁ ମଧ୍ୟ ପ୍ରତ୍ୟାହୃତ କରିବାକୁ ଦାବି ଜୋର ଧରିଥିଲା । ସେବାୟତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ, ସମେସ୍ତ ଏହି ବାଇ ଲକୁ ପ୍ରତ୍ୟାହୃତ କରିବାକୁ ଦାବି କରିଥିଲେ । ଆଉ ଏଭଳି ପ୍ରସଙ୍ଗରେ ନବୀନ ଟ୍ୱିଟ୍ କରିବା ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଓଡ଼ିଶାର ସମସ୍ତ ସାଂସଦ ମାନଙ୍କୁ ଅନୁରୋଧ କରିଥିଲେ । ଆଉ ନବୀନଙ୍କ ଏହି ଗୋଟିଏ ଟ୍ୱିଟ୍ ପରେ ଆରମ୍ଭ ହୋଇଥିଲା ରାଜନୀତି । ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ରହୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିରିଜ ଟ୍ୱିଟ୍ କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ ଅଭିଯୋଗକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ମୋଦି ପ୍ରତିଶୃତିବଦ୍ଧ ଥିବା କହିଥିଲେ । ଓଡ଼ିଶାର ସଂସ୍କୃତି,ଗୌରବ ଓ ଭାବାବେଗକୁ ସମ୍ମାନ ଦେବାରେ ମୋଦି ସରକାର ତିଳେମାତ୍ର ଅବହେଳା କରିବେନି ବୋଲି ଟ୍ୱିଟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ।ଆଉ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ପରେ ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ ଲ ପ୍ରତ୍ୟାହୃତ ହେବ ବୋଲି ସବୁଜ ସଂକେତ ମିଳିଥିଲା । ଆଉ ଧର୍ମେନ୍ଦ୍ରଙ୍କ ଟ୍ୱିଟର ଦିନ ଦୁଇଟା ବିତିନି ସ୍ୱର ମିଳାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କେନ୍ଦ୍ର ଗୃହମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା ସରିଛି । ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ଆସିଥିବା ବାଇ ଲ ପ୍ରତ୍ୟାହୃତ ହେବ ବୋଲି ଦୃଢ ଭାବେ କହିଥିଲେ ପ୍ରତାପ ।

ପ୍ରତାପଙ୍କ ଏଭଳି ଦୃଢୋକ୍ତିର ୨୪ ଘଣ୍ଟା ମଧ୍ୟ ପୁରିନଥିଲା ଦିଲ୍ଲୀରୁ ଭୁବନେଶ୍ୱର ଫେରି ବାଇ ଲକୁ ନେଇ ପ୍ରେସମିଟ୍ ଡାକିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କେନ୍ଦ୍ରମନ୍ତ୍ରୀ କଣ ଆଲୋଚନା କରିଥିଲେ, ଏକାମ୍ର କ୍ଷେତ୍ରରୁ ବାଇ ଲ ହଟିବ କି ନାହିଁ ସେ ବାବଦରେ ସ୍ପଷ୍ଟ ଆଭିମୁଖ୍ୟ ରଖିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କୁ ପ୍ରଶ୍ନର ପାହାଡରେ ଛିଡା କରି ବାଇ ଲ ବାବଦରେ ପାଠ ପଢାଇଥିଲେ । ବାଇ ଲ କଣ, ଏହାର ସୁଫଳ କଣ ମିଳିବ ସେ ବାବଦରେ ଉତ୍ତର ରଖିଥିଲେ ଅପରାଜିତା । ଲାଗୁଥିଲା ଯେପରି ବାଇ ଲ ପ୍ରତ୍ୟାହୃତ ନ ହେବା ପାଇଁ ଓକିଲାତି କରୁଥିଲେ ଅପରାଜିତା । ଏପରିକି ନିଜ ଦଳର ୨ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଚ୍ୟାଲେଞ୍ଜ ଦେଉଥିଲେ ଭୁବନେଶ୍ୱର ସାଂସଦ । ବାଇ ଲ ପ୍ରତ୍ୟାହୃତ ହେବ କି ନାହିଁ, ସେ ବାବଦରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କି? ସେହି ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ଦେବା ପରିବର୍ତ୍ତେ ରାଜ୍ୟ ସରକାର କଣ ଭୁଲ କରିଛନ୍ତି ତାହାର ପୋଥି ଖୋଲିବା ଆରମ୍ଭ କରିଥିଲେ ଅପରାଜିତା ।

ତେବେ ପ୍ରେସମିଟ୍ ପରେ ଅପରାଜିତାଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ଲିଙ୍ଗରାଜଙ୍କ ସେବାୟତ । ସମ୍ବେଦନଶୀଳ ପ୍ରସଙ୍ଗରେ ଦାୟିତ୍ୱହୀନ ମନ୍ତବ୍ୟ ଦେବା ଓ ପ୍ରେସମିଟ୍ କରିବା ପୂର୍ବରୁ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ନ କରି ଲୋକଙ୍କ ସହ ଧୋକା କରିଛନ୍ତି ବୋଲି ସେବାୟତଙ୍କ ପକ୍ଷରୁ କୁହାଯାଇଛି । ଆଉ ଏସବୁ ଭିତରେ ଅପରାଜିତାଙ୍କ ଏଭଳି ବୟାନ ପରେ ଲାଗୁଛି ସତେ ଯେପରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଛନ୍ତି ବିଜେପି ନେତା । ଦଳର ଆଭିମୁଖ୍ୟ କଣ ରହିଛି ତାହା ସ୍ପଷ୍ଟ ହେଉନଥିବା ବେଳେ ବ୍ୟକ୍ତିଗତ ଭାବେ ବୟାନ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଛନ୍ତି ଦଳର ବଡ ଚେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.