THE BYAPINI

ସତ୍ୟର ଉପାସକ ?

Get real time updates directly on you device, subscribe now.

ଅରୁଣ ବୋଥ୍ରା । ଏଡିଜି ରାଙ୍କର ଏହି ଆଇପିଏସ ଅଧିକାରୀ ଏବେ ଚର୍ଚ୍ଚାରେ ଆଉ ବିବାଦରେ ମଧ୍ୟ । ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅପରାଧୀକୁ ଧରିଥିବା ଏହି ଦକ୍ଷ ଅଧିକାରୀଙ୍କର ଦକ୍ଷତା ଉପରେ ଘନଘନ ପ୍ରଶ୍ନ ଉଠାଇ ଚାଲିଛନ୍ତି ବିରୋଧୀ ରାଜନୈତିକ ଦଳ ଏବଂ କିଛି ଗଣମାଧ୍ୟମ । ଅରୁଣ ବୋଥ୍ରା ଜାଣିଶୁଣି ମାମଲାକୁ ଭିନ୍ନ ଏକ ମୋଡ ଦେବାକୁ ଉଦ୍ୟମ କରୁଥିବା କିଛି ପକ୍ଷ ଦାବି କରୁଥିବା ବେଳେ ଆଉ କିଛି ଗଣମାଧ୍ୟମ ଏବଂ ଶାସକ ଦଳ ସାମ୍ନାକୁ ଆସୁଥିବା ତଥ୍ୟକୁ ଆଧାର କରି ବୋଥ୍ରାଙ୍କୁ ନିରପେକ୍ଷତାର ସାର୍ଟିଫିକେଟ ଦେଇ ଚାଲିଛନ୍ତି । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ଏହି ଅଧିକାରୀ ଜଣଙ୍କର ସଂପୁର୍ଣ୍ଣ କାର୍ଯ୍ୟଶୈଳୀକୁ ଏବେ ପ୍ରତି ମୁହୁର୍ତ୍ତରେ ସମୀକ୍ଷା କରାଯାଉଛି । ଲୋକେ କମେଂଟ କରୁଛନ୍ତି ପରୀ ମାମଲାକୁ ଭିନ୍ନ ମୋଡ ଦେବାକୁ ଉଦ୍ୟମ କରାଯାଉଛି । ଦୁଇ ଭାଗ ହେଉଥିବା ମତ ଅରୁଣ ବୋଥ୍ରାଙ୍କ ଉପରେ ହୁଏତ ଚାପ ସୃଷ୍ଟି କରିପାରେ କିନ୍ତୁ ପ୍ରଶ୍ନ ବି ଉଠାଉଛି ଏସଆଇଟି ତଦନ୍ତରୁ ସତ ସାମ୍ନାକୁ ଆସୁଛି ନା ମିଛର ଏକ ଧାରା ସୃଷ୍ଟି କରାଯାଉଛି ।

ପରୀ ମାମଲାରେ ଆରମ୍ଭରୁ ଚୁପ୍ ରହିଥିବା ନୟାଗଡ ଜିଲ୍ଲା ପୁଲିସ ସରକାରଙ୍କୁ ଅଡୁଆରେ ପକାଇଥିଲା । ବିଧାନସଭାର ହୋହାଲ୍ଲା ହେଲା, ସରକାର କ୍ରାଇମବ୍ରାଂଚ ତଦନ୍ତ କଥା କହିଲେ । ପରେ ଏସଆଇଟି ଦ୍ୱାରା ତଦନ୍ତ କରାଗଲା । ଆଉ ଯେଉଁ ତଥ୍ୟଗୁଡିକ ସାମ୍ନାକୁ ଆସିଲା ତାହା ରାଜ୍ୟର ଓପିନିୟନକୁ ଦୁଇଭାଗ କରିଦେଲା । ଗିରଫ ହୋଇଥିବା ଅଭିଯୁକ୍ତକୁ ନେଇ ଭିନ୍ନ ମତ ଉପସ୍ଥାପିତ ହେଲା । ଆଉ ଏବେ ଯେତେବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତିର ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି, ସେତେବେଳେ କିଏ ସତ କହୁଛି ଆଉ କିଏ ମିଛ କହୁଛି ତାକୁ ନେଇ ବିତର୍କ ଆରମ୍ଭ ହୋଇଛି । ଅରୁଣ ବୋଥ୍ରା ଏହି ମାମଲାରେ ଯେଉଁଭଳି କ୍ରିୟାଶୀଳ ହୋଇ କାର୍ଯ୍ୟକଲେ ଏବଂ ଅପରାଧୀକୁ ଧରିବାକୁ ଦିନରାତି ଏକ କରିଦେଲେ ତାହା ବେଶ ପ୍ରଶଂସା ସାଉଁଟିଲା । ମାତ୍ର ଲୋକଙ୍କ ମତ ଯେତେବେଳେ ଦୁଇ ଭାଗ ହୋଇଯାଉଛି ସେତେବେଳେ ସତ ଆଉ ମିଛକୁ ତଉଲା ଯାଉଛି ।

ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ରିପୋର୍ଟ ଆଉ ଭିଡିଓ କୋର୍ଟରେ କେତେଦୁର ଗ୍ରହଣୀୟ ହୋଇପାରିବ ତାକୁ କିଭଳି ବିଚାର ବ୍ୟବସ୍ଥାରେ ଚିନ୍ତା କରାଯିବ, ତାହା ବହୁତ ଗୁରୁତ୍ୱପୁର୍ଣ୍ଣ । ନଚେତ ଏସଆଇଟିର ପୁରା ପ୍ରକ୍ରିୟା ସନ୍ଦେହ ଭିତରକୁ ଆସିଯିବ । ପାଟଣାଗଡ, ସାରଥୀ ମାମଲାରେ ବେଶ ପ୍ରଶଂସା ସାଉଁଟିଥିବା ଅରୁଣ ବୋଥ୍ରାଙ୍କର ଦକ୍ଷତାର ସବୁଠାରୁ ବଡ ପରୀକ୍ଷା ଏହି ମାମଲାରେ ହେଉଛି । କାରଣ ପରୀର ମା ଏସଆଇଟି ତଦନ୍ତ ଉପରେ ପ୍ରଶ୍ନ ଉଠାଉଛନ୍ତି । ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି । ଗିରଫ ହୋଇଥବା ଅଭିଯୁକ୍ତ ନିର୍ଦ୍ଦୋଷ ବୋଲି କହିବା ସହ ସାକ୍ଷୀ ପଡିଥିବା ବ୍ୟକ୍ତିମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବାକୁ ପଛାଉ ନାହାନ୍ତି । ଫଳରେ ପୁରା ମାମଲା ଦୋଛକିରେ ଆସି ଠିଆ ହୋଇଛି ।

ଯେତେବେଳେ ବିଚାର ଆରମ୍ଭ ହେବ ଏବଂ ଦାଖଲ ହୋଇଥିବା ଚାର୍ଜଶିଟ ଆଧାରରେ କୋର୍ଟ ଶୁଣାଣି ଆରମ୍ଭ କରିବେ, ଓକିଲ ନିଜ ନିଜ ପକ୍ଷର ଦଲିଲ ରଖିବେ ଆଉ ମାମଲାର ରାୟ ଆସିବ ସେତେବେଳେ ଜଣାପଡିବ ଅରୁଣ ବୋଥ୍ରା ସତ୍ୟର ଉପାସକ ଥିଲେ ନା ମିଛର ସୈାଦାଗର । କିଛି ଗଣମାଧ୍ୟମ ଆଉ ରାଜନୈତିକ ଦଳଙ୍କ ଅସ୍ତିତ୍ୱ ଆଉ ବାସ୍ତବତା ମଧ୍ୟ ଏହି ମାମଲାର ରାୟ ଉପରେ ନିର୍ଭର କରିବ । ରାୟ ଆସିବା ପରେ ରାଜ୍ୟବାସୀ ଜାଣିପାରିବେ ଗଣମାଧ୍ୟମ ସତ କହୁଥିଲା ନା ରାଜନୈତିକ ଦଳର ହାତବାରିସି ହୋଇ କାର୍ଯ୍ୟ କରୁଥିଲା । ଏହି ଗୋଟିଏ ମାମଲା ସରକାର, ପୁଲିସର କାର୍ଯ୍ୟଶୈଳୀ, ଗଣମାଧ୍ୟମର ସ୍ୱାଧୀନତା ଏବଂ ରାଜନୈତିକ ଦଳର ବାସ୍ତବତା ଉପରେ ରିପୋର୍ଟ ତିଆରି କରିବ ।

Get real time updates directly on you device, subscribe now.

Leave A Reply

Your email address will not be published.