ନବୀନ କହିଲେ, ଦେଶ ଶୁଣିଲା !
ନୀତି ଆୟୋଗର ବୈଠକ ଚାଲିଥାଏ । ପ୍ରଧାନମନ୍ତ୍ରୀ, ବରିଷ୍ଠ ପଦାଧିକାରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ନବୀନ ନିଜର ଦୁରଦୃଷ୍ଟି ସଂପନ୍ନ ଗୁଣକୁ ପୁଣି ପ୍ରମାଣିତ କରିଛନ୍ତି । ଯେଉଁ ବୈଠକରେ ଦେଶର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ମାନେ ବସିଥିଲେ ସେମାନେ ତଟକା ହୋଇ ଅନାଇ ରହିଲେ । ନବୀନ ଏହି ବୈଠକରେ ରାଜ୍ୟ ପାଇଁ ଫଣ୍ଡ ମାଗିବାକୁ ଯୁକ୍ତି ରଖିନଥିଲେ, କେନ୍ଦ୍ର ଅବହେଳାର ତାଲିକା ଦେଇନଥିଲେ, ଏନଡିଏ ସରକାରର ମନମୁଖୀ କାର୍ଯ୍ୟର ହିସାବ ଉପସ୍ଥାପନ କରିନଥିଲେ ବରଂ ସେ ଏମିତି କିଛି କହିଥିଲେ ଯାହା ସବୁ ରାଜନୈତିକ ଦଳ, ଏହାର ନେତା, ଶାସନ ଗାଦିରେ ବସିଥିବା ନେତୃତ୍ୱଙ୍କୁ ପାଇଁ ଉଦାହରଣ ତିଆରି କରିଦେଲା । ସାରା ଦେଶ ଦେଖିଲା, କାହିଁକି ନବୀନଙ୍କୁ ଦେଶରେ ଏକ ନମ୍ବର ନେତା ଭାବେ ସମସ୍ତେ ଦେଖିଥାନ୍ତି । ସମସ୍ତେ ଜାଣିଲେ, ଯାହା ନବୀନ ଆଜି ଚିନ୍ତା କରନ୍ତି ତାକୁ ଦେଶର ନେତୃତ୍ୱ ଆସନ୍ତାକାଲି ଲାଗୁ କରିଥାନ୍ତି । ଠିକ ବିଜୁ ପଟ୍ଟନାୟକଙ୍କ ଭଳି ଷ୍ଟେଟସମ୍ୟାନର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନୀତି ଆୟୋଗ ବୈଠକରେ ନବୀନ ନିଜ ଅଭିଭାଷଣ ଦେଇ କହିଲେ, ଗଣତନ୍ତ୍ରରେ ନିର୍ବାଚନ ହେଉଛି ଅବଶ୍ୟମ୍ଭାବୀ । ତେବେ ଏକ ରୁଦ୍ଧିମନ୍ତ ଗଣତନ୍ତ୍ରର ପରିଚୟ ହେଉଛି, ନିର୍ବାଚନ ଜିତି ସରକାର ଗଠନ କଲେ ନେତୃତ୍ୱର ଦାୟିତ୍ୱ ହେଉଛି ଦଳୀୟ ଚିନ୍ତାଧାରାରୁ ଉପରକୁ ଉଠି ଲୋକଙ୍କ ପାଇଁ କାର୍ଯ୍ୟ କରିବା । ଦେଶ ହିସାବରେ ଆମକୁ ଆତ୍ମସମୀକ୍ଷା କରିବାର ଏହା ପ୍ରକୃଷ୍ଟ ସମୟ ଯେ ଆମେ ଏହି ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରିପାରିଛେ କି । ପ୍ରତ୍ୟେକ ଅପରାଧର ରାଜନୀତିକରଣ ହେଉଛି । ନିର୍ବାଚିତ ସରକାରର ପ୍ରତିଟି କାର୍ଯ୍ୟକୁ ରାଜନୈତିକ ଦୃଷ୍ଟିକୋଣରେ ଦେଖାଯାଉଛି । ଏଭଳି ବାତାବରଣ ଦେଶର ବିକାଶ କ୍ଷେତ୍ରରେ ସବୁଠାରୁ ବଡ ବିପଦ ସୃଷ୍ଟି କରିବା ସହ ଦେଶରେ ଶାନ୍ତି ଭଙ୍ଗର କାରଣ ପାଲଟୁଛି । ନିର୍ବାଚନ ମୁଡରୁ ବାହାରକୁ ବାହାରି ନିର୍ବାଚିତ ସରକାରକୁ କାମ କରିବାକୁ ସୁଯୋଗ ଦେବାର ଆବଶ୍ୟକତା ଥିବା ନବୀନ ନିଜ ଅଭିଭାଷଣରେ କହିଥିଲେ ।
ଏହି କିଛି ଶଦ୍ଦ ଭିତରେ ନବୀନଙ୍କର ଅନେକ ଗୁଢ ରହସ୍ୟ ଲୁଚି ରହିଛି । ଯାହାକୁ ଖାଲି ଆଖୀରେ ଦେଖିବା ଏତେ ସହଜ ନୁହେଁ । ପରୀ ମାମଲାରେ ବିଜେପି ଯେମିତି ପ୍ରସଙ୍ଗର ରାଜନୀତି କରଣ କଲା, ପଶ୍ଚିମବଙ୍ଗରେ ଯେମିତି ରାଜନୈତିକ ହତ୍ୟା ହେଉଛି, କେରଳରେ ଘଟୁଥିବା ନୃଶଂସ କାଣ୍ଡ, ୟୁପିରେ ହେଉଥିବା ଅପରାଧକୁ ରାଜନୀତିର ନିକିତିରେ ତଉଲିବା, ଦେଶଦ୍ରୋହର ମାମଲା ଲଗାଇ ଲୋକଙ୍କୁ ଗିରଫ କରିବା ଭଳି ସମ୍ବେଦନଶୀଳ ପ୍ରଶଙ୍ଗକୁ ଗୋଟିଏ ବାକ୍ୟରେ ନବୀନ ସାରା ଦେଶ ସାମ୍ନାରେ ଥେ।।ଇଥିବା ଅନୁମାନ କରାଯାଉଛି । ଅର୍ଥାତ୍ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଆଇନା ଦେଖାଇଲେ ନବୀନ । ରାଜ୍ୟରେ ସର୍ବାଧିକ ରାଜ୍ୟରେ ବିଜେପି ଏବେ କ୍ଷମତାରେ ଅଛି । ଆଉ ଦଳୀୟ ଲାଇନରେ ଗୋଟିଏ ନିର୍ବାଚିତ ସରକାର ଯେଉଁପରି କାର୍ଯ୍ୟ କରୁଛି ତାକୁ ପରୋକ୍ଷରେ ନବୀନ ନାପସନ୍ଦ କରିଛନ୍ତି । ନିର୍ବାଚନ ଜିତିବା ହିଁ କେବଳ ଗୋଟିଏ ରାଜନୈତିକ ଦଳର ଲକ୍ଷ୍ୟ ହେବା ଅନୁଚିତ । ଏଭଳି ହେଲେ ଦେଶର ଗଣତନ୍ତ୍ର ବିପଦ ଭିତରକୁ ଚାଲିଆସିବ । ଏବେ ପଶ୍ଚିମବଙ୍ଗରେ ନିର୍ବାଚନ ଅଛି ବୋଲି ସବୁ କେନ୍ଦ୍ରୀୟ ଯୋଜନାର ଅଧିକ ସେୟାର ଏହି ରାଜ୍ୟକୁ ଯିବ । ସେହିଭଳି ତାମିଲନାଡୁରେ ହେବାକୁ ଯାଉଥିବା ନିର୍ବାଚନ ପାଇଁ କେନ୍ଦ୍ର ଗୁରୁତ୍ୱ ଦେଉଛି । ଫଳରେ ଅନ୍ୟ ରାଜ୍ୟ ଗୁଡିକରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଦର୍ଶାଇବାକୁ ନବୀନ ଚେଷ୍ଟା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଦିଗଟି ପ୍ରତି ସମସ୍ତଙ୍କର ନଜର ଯିବାର ଆବଶ୍ୟକତା ରହୁଛି ତାହେଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ । ଏହାକୁ ନେଇ ରାଜନୈତିକ ସହମତିର ଆବଶ୍ୟକତା ରହିଛି । ଯଦିଓ କେନ୍ଦ୍ର ସରକାର ଏଉପରେ ଚିନ୍ତା କରୁଛନ୍ତି ହେଲେ ଏହାକୁ ଲାଗୁ କରିବା ପାଇଁ ଯେଉଁ ପାରଦର୍ଶିତାର ଆବଶ୍ୟକତା ରହୁଛି, ସେଥିରେ ଘୋର ଅଭାବ ପରିଲକ୍ଷିତ ହେଉଛି । ଫଳରେ ଦେଶରେ ପ୍ରତିବର୍ଷ କୈାଣସି ନା କୈାଣସି ଜାଗାରେ ନିର୍ବାଚନ ହେଉଛି । ଏହାର ଏକ କୁପ୍ରଭାବ ଦେଶର ବିକାଶ ପ୍ରକ୍ରିୟା ଉପରେ ପଡୁଛି । ନିର୍ବାଚନ ଆସିଲା କ୍ଷଣି ଦିଲ୍ଲୀରେ ଥିବେ ସରକାର, ରାଜ୍ୟ ଦଖଲ କରିବା ପାଇଁ ପ୍ରାଣମୁର୍ଚ୍ଚା ଉଦ୍ୟମ କରୁଛନ୍ତି । ଫଳରେ ଦିଲ୍ଲୀରେ ବସି ନିଷ୍ପତ୍ତି ନେବା ଆଉ ବିକାଶ ପ୍ରକ୍ରିୟାକୁ ନିରନ୍ତର ଜାରି ରଖୀବା କାମ ପ୍ରଭାବିତ ହେଉଛି । ତେଣୁ ନବୀନ ସିଧାସଳଖ କହିବା ବଦଳରେ ପରୋକ୍ଷରେ ମୋଦି ସରକାରଙ୍କୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ କରିବାକୁ ସଂକେତ ଦେଇଛନ୍ତି । ଆଉ ଏହା ଜରିଆରେ ଓଡିଶା ମଧ୍ୟ ଏଥିରେ ସହମତି ପ୍ରକାଶ କରୁଥିବା ଏକ ବଡ ବାର୍ତ୍ତା ସାମ୍ନାକୁ ଅସିଛି ।
ନବୀନ ସବୁବେଳେ ମାପିଚୁପି ବୟାନ ଦେଉଥିବାରୁ ଚର୍ଚ୍ଚାରେ ରହିଥାନ୍ତି । ନୀତି ଆୟୋଗ ବୈଠକରେ ଯେତେବେଳେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ବନାମ ରାଜ୍ୟର କଥା ଉଠାଉଛନ୍ତି ସେତେବେଳେ ନବୀନ ନିଜ ଦୁରଦୃଷ୍ଟି ସଂପନ୍ନତା ପ୍ରଦର୍ଶିତ କରିଛନ୍ତି । ନବୀଣ ଚାହିଁଥିଲେ ଏହି ବୈଠକ ଜରିଆରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିପାରିଥାନ୍ତେ ହେଲେଏହା କରିବା ବଦଳରେ ଏକ ସଶକ୍ତ ଭାରତ ଏବଂ ବିକାଶିତ ଭାରତ ଗଠନ କରିବା ପାଇଁ ସମସ୍ତ ପ୍ରସ୍ତାବକୁ ଦେଶ ସାମ୍ନାରେ ରଖିଛନ୍ତି । ଏହାର ଅର୍ଥ ହେଲା, ନବୀନ ନିଜକୁ ରାଜ୍ୟ ଭିତରେ ସୀମିତ ରଖିବା ବଦଳରେ ସାରା ଦେଶରେ ଉଦାହରଣ ହୋଇଆସିବାକୁ ଚାହିଁଛନ୍ତି । ରାଜ୍ୟରେ ଇତିହାସ ରଚିଥିବା ନବୀନ ଆଗାମୀ ଦିନରେ ସାରା ଦେଶର ଇତିହାସରେ ଏକ ନାୟକ ଭୁମିକାରେ ଅବତୀର୍ଣ୍ଣ ହୋଇପାରନ୍ତି । ଏଭଳି ସଂକେତ ବି ସାମ୍ନାକୁ ଆସୁଛି ।