ରାଜ୍ୟ ବଜେଟ: କେଉଁ ବିଭାଗକୁ କେତେ?
ମହାମାରୀ କରୋନା ପାଇଁ ଭୁଶୁଡିପଡିଥିବା ଓଡିଶାର ଅର୍ଥନୀତିକୁ ପୁଣି ଥରେ ସଜାଡିବା ପାଇଁ ଜୋର ଦେଇଛନ୍ତି ସରକାର । ଆର୍ଥିକ ବର୍ଷ ୨୦୨୧ -୨୦୨୨ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ। ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟରେ ରାଜ୍ୟ ସରକାର ଏଥର ସ୍ବାସ୍ଥ୍ୟ, ଶିକ୍ଷା, ଗ୍ରାମାଞ୍ଚଳର ଆୟ, ଏସସି ଏସଟିଙ୍କ ବିକାଶ ଉପରେ ଗୁରୁତ୍ଵ ଦେଇଛନ୍ତି।
୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍। ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୯ ପ୍ରତିଶତ ଅଧିକ ବ୍ୟୟବରାଦ କରି ୯,୧୬୪ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ରହିଛି ୧,୩୫୩ କୋଟି ଟଙ୍କା । ଏସସିବି ମେଡିକାଲ କଲେଜକୁ ଏମସ ପ୍ଲସ୍ ପ୍ରତିଷ୍ଠାନ ପାଇଁ ମୋଟ ୩,୫୦୦ କୋଟିର ପ୍ରସ୍ତାବ ରହିଥିବା ବେଳେ ୫୦୦ କୋଟି ଆବଂଟନ ହୋଇଛି ।
କୃଷି କ୍ଷେତ୍ର ପାଇଁ ୧୭ ହଜାର ୪୬୮ କୋଟି ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ ଧାର୍ୟ୍ୟ ହୋଇଥିବା ବେଳେ କାଳିଆ ଯୋଜନାରେ ୧ ହଜାର ୮ଶହ କୋଟି, ଉଦ୍ୟାନ କୃଷି ମିଶନ ପାଇଁ ୧୩୨ କୋଟି ଖର୍ଚ୍ଚ ବ୍ୟୟ ବରାଦ ହୋଇଛି। ପ୍ରଶାସନିକ ବ୍ୟୟ ନିମନ୍ତେ ୮୫ ହଜାର କୋଟି, କାର୍ୟ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି, ବିପର୍ୟ୍ୟୟ ପ୍ରଶମନ ବ୍ୟୟ ଲାଗି ୩ ହଜାର ୫୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯ ଶହ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
କଟକ ବସ ଟର୍ମିନାଲ ଓ ବ୍ଲକ ସ୍ତରୀୟ ବସଷ୍ଟାଣ୍ଡ ପାଇଁ ଶହେ କୋଟି। ଏୟାରଷ୍ଟ୍ରିପ ନବୀକରଣ ପାଇଁ ଶହେ କୋଟି। ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟ ବରାଦ। ବିଧାୟକଙ୍କ ପାଣ୍ଠି ପାଇଁ ୪୪୧ କୋଟି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୧୮୦ କୋଟି ବ୍ୟୟ ବରାଦ ହୋଇଛି।ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।ସେହିଭଳି ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ ହୋଇଛି। ବିପର୍ୟ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି ବ୍ୟୟବରାଦ ହୋଇଛି। ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟବରାଦ ହୋଇଛି। ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ, ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ ଓ ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ।
୧୦ ଜିଲ୍ଲାରେ ହେବ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟ୍ରକଚର କମ୍ପଲେକ୍ସ। ଓଡ଼ିଶା ସମନ୍ବିତ ପରିମଳ ଉନ୍ନୟନ ପ୍ରକଳ୍ପ ପାଇଁ ୩୯୫ କୋଟି। ସ୍ବଚ୍ଛ ଭାରତ ମିଶନରେ ଗ୍ରାମାଞ୍ଚଳ ପାଇଁ ୨ଶହ କୋଟି। ସହରାଞ୍ଚଳ ପାଇଁ ୨ଶହ ୧୫ କୋଟି ପ୍ରସ୍ତାବ। ସେହିପରି ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ଟଙ୍କା। ଏକାମ୍ର ଯୋଜନା ପାଇଁ ୨ ଶହ କୋଟି। ସମଲେଇ ଯୋଜନା ପାଇଁ ୨ ଶହ କୋଟି। ଓଏଚପିସିରେ ନିବେଶ ହେବ ୫ଶହ କୋଟି। ଓପିଟିସିଏଲ ଅଂଶଧନ ସହାୟତା ବାବଦରେ ୩୩୨ କୋଟି ଖର୍ଚ୍ଚ ହେବ ।ସବୁଠୁ ଅଧିକ ଖର୍ଚ୍ଚ ହେବ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ । ମୋଟ ବ୍ୟୟବରାଦ ରହିଛି ୨୪, ୩୭୦ କୋଟି ଟଙ୍କା ।