୪୭, ୦୫୫ କରୋନା ରୋଗୀ, ଖର୍ଚ୍ଚ ୩୮୯, ୫୯, ୬୬, ୪୬୬ ଟଙ୍କା
କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଭିତ୍ତିଭୁମି ସୃଷ୍ଟି କରିବା ଦିଗରେ ଦେଇଥିଲେ ସର୍ବାଧିକ ଜୋର । ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ତିଆରି ହୋଇଥିଲା ବ୍ଲୁ-ପ୍ରିଂଟ । ୩୨ଟି ଘରୋଇ ହସ୍ପିଟାଲର ସହଯୋଗ ଲୋଡି ହଜାର ହଜାର ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ଯଦିଓ କିଛି କିଛି ହସ୍ପିଟାଲରେ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିଲା ତଥାପି ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ବେଶ ପ୍ରଶଂସା କରାଯାଇଥିଲା । ରାଜଧାନୀରେ ୧୦୦୦ ବେଡର ହସ୍ପିଟାଲକୁ ରେକର୍ଡ ସମୟରେ ତିଆରି କରି ସାରା ଭାରତରେ ନବୀନ ସରକାର ପ୍ରଶଂସା ସାଉଁଟିଥିଲେ । କୈାଣସି ବି କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡୁନଥିଲା । ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସାରା ଦେଶରେ ଏଭଳି ନିଷ୍ପତ୍ତି ନେବାରେ ଓଡିଶା ହିଁ ଏକମାତ୍ର ରାଜ୍ୟ ଥିଲା । ହେଲେ ଏହା ପଛରେ ସରକାରଙ୍କୁ କିନ୍ତୁ ଶହ ଶହ କୋଟି ଅର୍ଥ ଖର୍ଚ୍ଚ କରିବାକୁ ପଡିଥିଲା । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ରଖିଥିବା ଉତ୍ତରରୁ ଏକଥା ସାମ୍ନାକୁ ଆସିଛି ।
ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକ ପ୍ରଶ୍ନ ରଖିଥିଲେ, କରୋନା ସଂକ୍ରମିତଙ୍କ ମାଗଣା ଚିକିତ୍ସା ବାବଦରେ ଗତ ଜାନୁୟାରୀ ସୁଦ୍ଧା କେତେ ଅର୍ଥ ସରକାର ଖର୍ଚ୍ଚ କରିଛନ୍ତି । ସେହିଭଳି ୩୩ଟି ଘରୋଇ ହସ୍ପିଟାଲର ବିଲ୍ ଭରଣା ଖର୍ଚ୍ଚ କେତେ ଏବଂ କେତେ ରୋଗୀଙ୍କ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯାଇଛି ତାର ହସ୍ପିଟାଲୱାରୀ ତଥ୍ୟ ମାଗିଥିଲେ ସୈାମ୍ୟରଂଜନ । ସ୍ୱାସ୍ଥ୍ୟସମନ୍ତ୍ରୀ ନବ ଦାସ ଏହାର ଉତ୍ତର ରଖି କହିଛନ୍ତି,ଓ କରୋନା ସଂକ୍ରମିତଙ୍କ ମାଗଣା ଚିକିତ୍ସା ବାବଦରେ ଗତ ଜାନୁୟାରୀ ସୁଦ୍ଧା ମୋଟ ବ୍ୟୟ ପରିମାଣ ଆକଳନ ନିମନ୍ତେ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ୩୨ଟି ଘରୋଇ ହସ୍ପିଟାଲର ବିଲ ଭରଣା ଖର୍ଚ୍ଚ ଓ ରୋଗୀ ସଂଖ୍ୟା କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲୱାରୀ ପ୍ରଦାନ କରିଥିଲେ । ଏହି ତଥ୍ୟ ଅନୁସାରେ, ରାଜ୍ୟରେ ଏହି ୩୨ଟି ଘରୋଇ ହସ୍ପିଟାଲରେ ୪୭ ହଜାର ୫୫ ଜଣ ରୋଗୀଙ୍କ ପାଇଁ ୩୮୯ କୋଟି ୫୯ ଲକ୍ଷ ୬୬ ହଜାର ୪୬୬ ଟଙ୍କା ଖର୍ଚ୍ଚ କରାଯାଇଛି । ଅର୍ଥାତ୍ ଜଣେ ଜଣେ ରୋଗୀ ପିଛା ସରକାର ୮୨ ହଜାର ୭୯୬ ଟଙ୍କା ଲେଖାଏଁ ଖର୍ଚ୍ଚ କରୁଥିଲେ । ଘରୋଇ ହସ୍ପିଟାଲ ବାବଦରେ ସରକାର ଖର୍ଚ୍ଚର ତାଲିକା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା କରାଯାଉଛି ।
କିଛି ହସ୍ପିଟାଲ ପାଇଥିବା ଅର୍ଥରାଶି ଉପରେ ନଜର ପକାନ୍ତୁ ।
- ଖୋର୍ଦ୍ଧା ଜିଲ୍ଲାରେ ଥିବା ସମ୍ ହସ୍ପିଟାଲରେ ୬୯୮ ରୋଗୀଙ୍କ ପାଇଁ ୫୮ କୋଟି ୫୯ ଲକ୍ଷ ୭୨ ହଜାର ୨୫୦ ଟଙ୍କା
- ଖୋର୍ଦ୍ଧା ଜିଲ୍ଲାରେ ଥିବା ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ୧୯୮୬ ରୋଗୀଙ୍କ ପାଇଁ ୧୮ କୋଟି ୨୮ ଲକ୍ଷ ୪୫ ହଜାର ୫୦୦ ଟଙ୍କା
- ଖୋର୍ଦ୍ଧା ଜିଲ୍ଲାରେ ଥିବା କିମ୍ସ ହସ୍ପିଟାଲରେ ୨୨୯୫ ରୋଗୀଙ୍କ ପାଇଁ ୪୪ କୋଟି ୧୫ ଲକ୍ଷ ୫୨ ହଜାର ୫୦୦ ଟଙ୍କା
- କଟକ ଜିଲ୍ଲାରେ ଥିବା ଅଶ୍ୱିନୀ ହସ୍ପିଟାଲରେ ୧୯୩୨ ରୋଗୀଙ୍କ ପାଇଁ ୩୨ କୋଟି ୪୫ ଲକ୍ଷ ୮୫ ହଜାର ୫୫୬ ଟଙ୍କା
- ବଲାଙ୍ଗୀର ଜିଲ୍ଲାରେ ଥିବା କିସ୍ କ୍ୟାମ୍ପସରେ ୧୨୦୪ ରୋଗୀଙ୍କ ପାଇଁ ୧୬ କୋଟି ୩୯ ଲକ୍ଷ ୬୨ ହଜାର ୫୦୦ ଟଙ୍କା
ଏଭଳି ଭାବରେ ସରକାର ଘରୋଇ ହସ୍ପିଟାଲକୁ ଶହଶହ କୋଟି ଟଙ୍କା ଦେଇଥିଲେ । ହୁଏତ ଏହାରି ବଳରେ ସହଜାର ହଜାର ଲୋକଙ୍କ ଜୀବନ ସବଂଚିଯାଇଛି, ଲୋକେ ଚିକିତ୍ସା ସୁବିଧା ପାଇଥିଲେ, ମାତ୍ର ସରକାରୀ ତହବିଲରୁ କୋଟି କୋଟି ଟଙ୍କା ପାଇ କିଛି ଘରୋଇ ହସ୍ପିଟାଲ ମାଲାମାଲ ହୋଇଛନ୍ତି ।