ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ
ରାଜ୍ୟରେ ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏନେଇ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଂଜାବ,କେରଳ ଓ ପଡୋଶୀ ରାଜ୍ୟ ଛତିଶଗଡରେ ଯେପରି ଭାବେ କରୋନା ସଂକ୍ରମଣ ପୁଣି ବଢିଛି, ତାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଚାର ବିମର୍ଶ କରି ଏପରି ନିଷ୍ପତ୍ତି ନିଆଯାଇଛି। ସ୍କୁଲ ଖୋଲିବା ନେଇ ପୁନର୍ବିଚାର କରାଯାଉଛି । ସୀମାନ୍ତ ଜିଲ୍ଲା ଗୁଡିକରେ ନୋଡାଲ ଅଫିସର ପହଞ୍ଚିଛନ୍ତି । ସେଠାରେ କୋଭିଡ୍ ନିୟମ ପାଳନ ନେଇ ତଦାରଖ କରୁଛନ୍ତି ।
ପୂର୍ବରୁ ନବମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିଛି । ଅନ୍ୟ ଶ୍ରେଣୀର କ୍ଲାସ୍ ପାଇଁ କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ଭାବେ ପାଠ ପଢ଼ା ହେଉଛି।
ଦେଶରେ ଦ୍ରୁତ ବେଗରେ କରୋନା ସଂକ୍ରମଣ ମାଡିଚାଲିଛି । ଏହାରି ଭିତରେ ପୁଣି ଦେଢ ଲକ୍ଷ ଟପିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୧୪ ହଜାର ନୂଆ ମାମଲା ଚିହ୍ନଟ ପରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୫୫ କୁ ଛୁଇଁଛି । ୧୭ ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଛି ।